ସମ୍ବଲପୁର/ବରଗଡ଼, ୨୮ ନଭେମ୍ବର (ହି.ସ.)- ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଆଜି ଠାରୁ ଚଳିତ ବର୍ଷର ଖରିଫ ଧାନକିଣା ଆରମ୍ଭ ହେବ । ଟୋକନ୍ ନେଇ ଲାଗି ରହିଥିବା ଦ୍ୱନ୍ଦ ତୁଟିବା ପରେ ଶୁକ୍ରବାର ଠାରୁ ଧାନକିଣା ଆରମ୍ଭ ହେବ । ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ବରେଇପାଲି ମଣ୍ଡିରେ ଆରମ୍ଭ ହେବ ଧାନକିଣା । ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ କିଣା ପାଇଁ ମୋଟ୍ ୧୧୭ଟି ମଣ୍ଡି ଖୋଲିଛି । ୬୦ ହଜାର ୬୧୪ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ପାଇଁ ୪୫ଟି ପେକ୍ସ, ୧୧ ଏସଏଚଜି ଏବଂ ୪୬ଟି ମିଲର୍ସ ନିୟୋଜିତ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାର ୪୯ ହଜାରରୁ ଅଧିକ ଚାଷୀଙ୍କ ନିକଟକୁ ଆସିଛି ଟୋକନ୍ । ଗତକାଲି ରାତିରେ କିଛି ଚାଷୀଙ୍କୁ ଦିଆଯାଇଛି ଟୋକନ୍ ।
ସେହିପରି ବରଗଡ଼ ଜିଲ୍ଲାରେ ମଧ୍ୟ ଆଜି ଠାରୁ ଖରିଫ ଧାନକିଣା ପାଇଁ ମଣ୍ଡି ଖୋଲିବ । ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପାଇଁ ୨୩୦ଟି ମଣ୍ଡି ଖୋଲିଥିବା ବେଳେ ୧ ଲକ୍ଷ ୬୪ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଆଜି ସୁଦ୍ଧା ମୋଟ୍ ୭୩ ହଜାର ଚାଷୀଙ୍କ ନିକଟକୁ ଟୋକନ୍ ଆସିଛି । ତେବେ ବହୁ ସଂଖ୍ୟାରେ ଚାଷୀଙ୍କୁ ଅଦ୍ୟାବଧି ଟୋକନ୍ ମିଳିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
