
ପୁରୀ, ୩୦ ଅକ୍ଟୋବର (ହି.ସ.)- ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀକ୍ଷେତ୍ର । ଧର୍ମମାସ କାର୍ତିକ । କାର୍ତିକ ମାସରେ ରାଧାଦାମୋଦର ପୂଜା କଲେ ଅନେକ ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଦ୍ଵାପର ଯୁଗରେ ଗୋପୀମାନେ ଏହି ପୂଜା କରୁଥିଲେ । ଶ୍ରୀମନ୍ଦିରରେ ଏକ ମାସ ଧରି ଶ୍ରୀଜୀଉମାନଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହେଉଛି । କାର୍ତିକରେ ଶେଷ ପାଂଚଦିନ ପଂଚୁକରେ ମହାପ୍ରଭୁଙ୍କର ପାଂଚଦିନ ଯାକ ବିଭିନ୍ନ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କୁ ଦର୍ଶନ, କାର୍ତିକ ପୁରାଣ ଶ୍ରବଣ, ପଂଚତୀର୍ଥରେ ସ୍ନାନ, ଚଉରା ମୂଳରେ ରାଧାଦାମୋଦର ପୂଜା, ହବିଷ୍ୟାଅନ୍ନ ପାଳନ ଓ ସଂଧ୍ୟାରେ ଆକାଶଦୀପ ପୂଜା କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀଙ୍କ ଆଗମନ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୩ ହଜାରରୁ ଉର୍ଦ୍ଧ୍ଵ ହବିଷ୍ୟାଳୀଙ୍କୁ ୫ଟି ରହଣି କେନ୍ଦ୍ରରେ ରଖାଯାଇଛି ।
କାର୍ତିକ ମାସଯାକ ଶ୍ରୀକ୍ଷେତ୍ରରେ ଭୋର ୪ଟାରୁ ଧାର୍ମିକ ମାହୋଲ ଦେଖାଦେଇଛି । ମହୋଦଧି କୂଳ, ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ଵେତଗଙ୍ଗା ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ହବିଷ୍ୟାଳୀମାନେ ରାଇଦାମୋଦର ପୂଜା କରୁଥିବାର ଦେଖିବାକୁ ମିଳିଛି । ଏହାସହ ଶ୍ରୀକ୍ଷେତ୍ର ସାହିବାସିନ୍ଦା ହବିଷ୍ୟାଳିମାନେ ଦାଣ୍ଡ ଦୁଆର ଓ ଛାତ ଉପରେ ଥିବା ବୃନ୍ଦାବତୀ ଚଉରା ମୂଳରେ ରାଧାଦାମୋଦର ପୂଜା କରୁଛନ୍ତି । ଘରୋଇ ହବିଷ୍ୟାଳୀମାନେ ହବିଷ୍ୟ ପାଇଁ ଓଉ, ମୁଗ ଡ଼ାଲି, ଅଦା, ସାରୁ, କଂଚା କଦଳୀ, ପାଳୁଅ, କନ୍ଦମୂଳ ଆଦି ପରିବା କିଣି ହବିଷ୍ୟ ଅନ୍ନ ରନ୍ଧନ କରି ବିନା ଫୁଟଣ ଓ ହଳଦୀରେ ମୁଗଡ଼ାଲମା ପ୍ରସ୍ତୁତ କରି ସୂର୍ଯ୍ୟାସ୍ତ ପୂର୍ବରୁ ଗୋଟିଏ ଥର ଅନ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଛି । ଅନେକ ହବିଷ୍ୟାଳି ମହାପ୍ରସାଦ ସେବନ କରୁଛନ୍ତି । ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହବିଷ୍ୟାଳିମାନଙ୍କ ଭିଡ଼ ଲାଗି ରହୁଛି । ହବିଷ୍ୟାଳି କେନ୍ଦ୍ରରେ ଥିବା ହବିଷ୍ୟାଳିମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରକୁ ଯିବା ପାଇଁ ଗାଡ଼ି ଓ ଗାଇଡ଼ ବ୍ୟବସ୍ଥା କରାଯାଇଛି । ଏହାସହ ହବିଷ୍ୟାଳୀ କେନ୍ଦ୍ରମାନଙ୍କରେ କାର୍ତିକ ମାହାତ୍ମ୍ୟ ପୁରାଣ ବ୍ରାହ୍ମଣ ପାଠ କରି ହବିଷ୍ୟାଳିମାନଙ୍କୁ ବୁଝାଉଛନ୍ତି । ଏହା ସହ ଭଜନ, କୀର୍ତନ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ମଠ, ମନ୍ଦିର ଓ ଧର୍ମଶାଳାରେ କାର୍ତିକ ମାହାତ୍ମ୍ୟ ସହ ଗୀତା ଭାଗବତ ପଠନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
