ପୁରୀ, 10 ଜାନୁଆରୀ (ହି.ସ.)-ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମଙ୍ଗଳବାର ସଂଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଛନ୍ତି।ଏଥିସହ ପ୍ରକଳ୍ପ ଲୋକାର୍ପଣ ପାଇଁ ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଯଜ୍ଞ ମଣ୍ଡପ, ମନ୍ଦିର ଚତୁଃପାର୍ଶ୍ୱ,ଚାରି ଦ୍ୱାର ପଟକୁ ସଂଯୋଗ ବର୍ହି ପାଚେରୀ, ପରିକ୍ରମା ପ୍ରକଳ୍ପ, ପାର୍କ, ଶ୍ରୀ ଦାଣ୍ଡ, ଜଗନ୍ନାଥ ବଲ୍ଲଭ ପାର୍କିଂ, ଜଗନ୍ନାଥ ବଲ୍ଲଭ ଇଣ୍ଟରପିଟେସନ ସେଣ୍ଟର ଇତ୍ୟାଦି ପରିଦର୍ଶନ କରିଥିଲେ। କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଯେଉଁ ଧାର୍ଯ୍ୟ ତାରିଖ ଦିଆଯାଇଛି ସେହି ଅନୁସାରେ କାର୍ଯ୍ୟ ସାରିବାକୁ ସେ ସମ୍ପୃକ୍ତ ସଂସ୍ଥା ଓ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କାର୍ଯ୍ୟକ୍ରମର ପ୍ରସାରଣ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କରେ ଫଟୋଚିତ୍ର ଏବଂ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ପ୍ରଦର୍ଶନୀ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ମଧ୍ୟ ଶ୍ରୀ ଜେନା ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସିର ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ପାଣିଗ୍ରାହୀ,ସୁନ୍ଦର ମାଧବ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର /ବିଜୟ /ସ୍ୱାଗତିକା/ସମନ୍ୱୟ
