
ବଲାଣି, ୧୨ ଡିସେମ୍ବର (ହି.ସ.)- ଆଦିତ୍ୟ ବିର୍ଲା ଗୃପର ଏସେଲ ମାଇନିଙ୍ଗ ଏଣ୍ଡ ଇଣ୍ଡଷ୍ଟ୍ରିଜ ଲିଃର ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ବିଭିନ୍ନ ସମସ୍ୟା ଓ ବେଆଇନ ଛଟେଇ ନେଇ ଶ୍ରମିକମାନେ ପ୍ରତିବାଦ କରିବା ସହ ସୋମବାର ଠାରୁ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଅନଶନକାରୀଙ୍କ ସମର୍ଥରେ ଶହ ଶହ ଶ୍ରମିକ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିରହିଛନ୍ତି ।
ଖବରରୁ ଜଣାପଡିଛି ଯେ, ଗତ ଅକ୍ଟୋବର ୨୦ ତାରିଖରେ କାରଖାନା ପରିସରରେ ତୃଟିପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଯୋଗୁଁ ଟ୍ରକ ଚକା ତଳେ ଚାପି ହୋଇ ବିଭୀଷଣ ମହାକୁଡ ନାମକ ଜଣେ ଶ୍ରମିକଙ୍କ ମୃତ୍ଯୁ ଘଟିଥିଲା ଓ ଏହାର ପ୍ରତିବାଦରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ସମସ୍ତ ଶ୍ରମିକମାନଙ୍କ ସହ ବାମେବାରୀ ପୁଲିସର ଉପସ୍ଥିତିରେ ଏକ ଚୁକ୍ତିନାମା ସ୍ଵାକ୍ଷର ହେବା ସହ ମୃତ ଶ୍ରମିକ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ଓ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦେବା ସହମତି କ୍ରମେ ଚୁକ୍ତିବଦ୍ଧ କରାଯାଇଥିଲା । ଚୁକ୍ତି ମୁତାବକ କମ୍ପାନୀ ୨୦ ଲକ୍ଷ ଟଙ୍କାର ଏକ ଚେକ ମୃତକଙ୍କ ସ୍ତ୍ରୀ ସଙ୍ଗିତା ବେହେରାଙ୍କୁ ପ୍ରଦାନ କରିଥିଲେ । ତେବେ ସଙ୍ଗିତା ବ୍ୟାଙ୍କକୁ ଯାଇ ଏହି ଚେକଟିକୁ ଜମା କରିଥିବା ବେଳେ ଅତି ଚୁତୁରତାର ସହ କମ୍ପାନୀ ବ୍ୟାଙ୍କରେ ଏହି ଚେକଟିକୁ ଖାରଜ କରିଦେଇଥିଲେ । ଏ ନେଇ ସଙ୍ଗିତା ଗତ ୦୬.୦୧.୨୦୨୩ରେ ଜିଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ କମ୍ପାନୀ ପକ୍ଷରୁ ବାମେବାରୀ ଥାନାରେ ଜୋରଜବରଦସ୍ତ ୨୦ ଲକ୍ଷ ଟଙ୍କାର ଏକ ଚେକ ନେଇଯାଇଥିବା ନେଇ ଏକ ମିଥ୍ୟା ମାମଲା ଋଜୁ କରାଯାଇଥିଲା । ଏହି ମାମଲାକୁ ଆଧାର କରି ୩ ଜଣ ଶ୍ରମିକଙ୍କୁ ପୁଲିସ ଗିରଫ କରି ଜେଲ ପଠାଇ ଦେଇଥିଲା । ପ୍ରାୟ ୨୦ ଦିନ ଜେଲରେ ରହିବା ପରେ ସେମାନେ ଜାମିନରେ ଆସି ନିଜ କାମରେ ଯୋଗଦେଇଥିଲେ । ମାତ୍ର ଗୋଟିଏ ଦିନ କାର୍ଯ୍ୟ କରିବା ପରେ ତାଙ୍କୁ ଗେଟରେ ନଛାଡିବା ପାଇଁ ନୋଟିସ୍ ଜାରି କରାଯାଇଥିଲା । ଶ୍ରମ ଆଇନ ଅନୁଯାୟୀ ଶ୍ରମିକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରାବଧାନ ଥିବା ବେଳେ ବିନା ନୋଟିସ୍ ରେ ଏହି ଶ୍ରିମକମାନଙ୍କୁ କାର୍ଯ୍ୟରୁ ଅନ୍ତର କରିଦିଆଯାଇଥିଲା । ଧାରଣାରତ ଶ୍ରମିକମାନଙ୍କ ଅଭିଯୋଗ ମୁତାବକ, କମ୍ପାନୀ ୨୦୧୧ ମସିହା ଠାରୁ ଏହି କାରଖାନା ପରିଚାଳନା କରିଆସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଭାବିତ ଲୋକଙ୍କୁ ନିଯୁକ୍ତି, ନିୟମ ମୁତାବକ ଶ୍ରମିକମାନଙ୍କୁ ବୋନସ ପୈଠ, ଛୁଟି ପାଉଣା ପ୍ରଦାନ କରିନଥାନ୍ତି । ଯେକୌଣସି ଶ୍ରମିକ ସଂଘର ସଭ୍ୟ ହେବା ପ୍ରତ୍ୟେକ ଶ୍ରମିକର ସାମ୍ବିଧାନିକ ଅଧିକାର ଥିବା ବେଳେ କୌଣସି ଶ୍ରମିକ ସଂଘର ସଭ୍ୟ ନହେବା ପାଇଁ କମ୍ପାନୀ ପକ୍ଷରୁ ଶ୍ରମିକମାନଙ୍କୁ ଧମକ ଦିଆଯାଉଛି । ଏପରିକି ଶ୍ରମିକ ସଂଘରେ ଯୋଗଦେଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଦିଆଯିବା ପାଇଁ କମ୍ପାନୀ ଅଧିକାରୀମାନେ ଧମକ ଦେଇଆସୁଛନ୍ତି । ଏହାର ପ୍ରତିକାର ଦାବି କରି ୩ ଜଣ ଛଟେଇ ଶ୍ରମିକଙ୍କ ସହିତ ଅନ୍ୟ ଶ୍ରମିକମାନେ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନ ଓ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଏଣେ କମ୍ପାନୀ କର୍ତ୍ତୁପକ୍ଷ ମୁଖ୍ୟ ଫାଟକ ସମ୍ମୁଖରୁ ଉଠିଯିବାକୁ ପ୍ରବଳ ଚାପ ପ୍ରୟୋଗ କରିବା ସହ ଶ୍ରମିକଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ବାହାରୁ ଶ୍ରମିକ ଆଣି କାରଖାନାକୁ ପୂର୍ବବତ୍ ପରିଚାଳିତ କରିଆସୁଛନ୍ତି । ଏହାର ପ୍ରତିବାଦରେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ଶ୍ରମିକମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରମିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ମହେଶ୍ଵର ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
