ଗଞ୍ଜାମ, ୧୭ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅଧିନ ବଡ଼ଖଣ୍ଡା ଗ୍ରାମରୁ ବାସନ୍ଦ ଭଳି କୁତ୍ସିତ ପ୍ରଥା ହଟିପାରୁନି । ପୋଲିସ ବିଭାଗର ବାରମ୍ବାର ସଚେତନତା ସତ୍ବେ କୁଳସମାଜର ମୁଣ୍ଡିଆଳ ମାନେ ଏଥିରୁ ନିବୃତ ରହୁନାହାଁନ୍ତି । ଗତ ୪ ବର୍ଷ ତଳେ ଗ୍ରାମର ତିନୋଟି ପରିବାରକୁ ଗୁଣିଗାରେଡି ସନ୍ଦେହରେ ସାମାଜିକ ବାସନ୍ଦ କରାଯାଇଥିଲା । ପୋଲିସ ବିଭାଗ ଓ ପ୍ରଶାସନର ହସ୍ତକ୍ଷେପ ପରେ ବାସନ୍ଦ ଆଦେଶ ପ୍ରତ୍ୟାହୃତ ହୋଇଥିଲା । କୁଳସମାଜର ଏକ ସଭାରେ ଏହାର ଆପୋଷ ସମାଧାନ ହେବା ସହ ତାରାସିଂ ପୋଲିସ ପକ୍ଷରୁ ଗ୍ରାମରେ ସଚେତନତା ସଭାର ମଧ୍ୟ ଆୟୋଜନ ହୋଇଥିଲା । ତେବେ ଏହାର ବର୍ଷକ ପରେ ଯଥାପୂର୍ବଂ ତଥା ପରଂ ସ୍ଥିତି ଏହି ଗ୍ରାମରେ ଦେଖିବାକୁ ମିଳିଛି । ସୁଲ ଗୌଡଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ପରିବାର ଉପରେ ବାସନ୍ଦ ଆଦେଶ ଜାରି ହୋଇଛି । ସେମାନଙ୍କୁ କୌଣସି ଭୋଜିଭାତ ଓ ସାମାଜିକ ଅନୁଷ୍ଠାନ କାର୍ଯ୍ୟକ୍ରମରେ ସାମିଲ୍ କରାଯାଉନାହିଁ । ଫଳରେ ସୁଲଙ୍କ ପତ୍ନୀ ବନିତା ଆଜି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଜଗମୋହନ ମୀନାଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ଗ୍ରାମର ପ୍ରମୁଖ ୪ ଜଣ ବ୍ୟକ୍ତିଙ୍କ ନାମରେ ସେ ଲିଖିତ ଅଭିଯୋଗ କରିଛନ୍ତି । ତାରାସିଂ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ସହ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତିଶୃତି ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ପ୍ରଦୀପ୍ତ/ସମନ୍ୱୟ
