ଭୁବନେଶ୍ୱର, ୦୬ ନଭେମ୍ବର (ହି.ସ)- ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତାମାନଙ୍କୁ ଉପନିର୍ବାଚନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶନରେ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନୂଆପଡା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୫୧ ହଜାର ୯୧୯ ଭୋଟର ସୂଚନା ପତ୍ର ଏବଂ ୮୫ ହଜାର ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରାଯାଇଛି ।
ଭୋଟର ତାଲିକାରେ ମତଦାତାଙ୍କ ନାମ, ମତଦାନ କେନ୍ଦ୍ର ସମ୍ପର୍କିତ ସୂଚନା, ଭୋଟଦାନ ତାରିଖ ଏବଂ ସମୟ, ମତଦାନ ସମୟରେ କଣ କରିବେ – ନ କରିବେ, କ୍ୟୁ.ଆର କୋଡ ବ୍ୟବହାରକରି କିପରି ଭୋଟର ବିବରଣୀ ଶୀଘ୍ର ପାଇପାରିବେ ଏ ସମ୍ପର୍କିତ ସୂଚନା ଭୋଟର ସୂଚନା ପତ୍ରରେ ଉପଲବ୍ଧ କରାଯାଇଛି।
ସେହିପରି, ଭୋଟର ମାର୍ଗ ଦର୍ଶିକା ପୁସ୍ତିକାରେ ମତଦାତା ମାନେ ସୁବିଧାରେ କେମିତି ଭୋଟ ଦେବେ, ଭୋଟର ପଞ୍ଜୀକରଣ ଯୋଗ୍ୟତା, ଭୋଟର ତାଲିକାରେ ନାମ ଅଛି କି ନାହିଁ ତାହା କେମିତି ଜାଣିବେ, ନିର୍ବାଚନ ନିୟମ ଉଲ୍ଲଂଘନ ଘଟିଲେ କିପରି ଅଭିଯୋଗ କରିବେ, ପୋଷ୍ଟାଲ୍ ବ୍ୟାଲଟ୍ ସୁବିଧା, ନିର୍ବାଚନ ନାମାଙ୍କନ ଓ ପ୍ରାର୍ଥୀ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ଉପଲବ୍ଧ ରହିଅଛି। ଭୋଟରମାନେ ୱେବସାଇଟ୍ ତଥା ଭୋଟର ହେଲ୍ପଲାଇନ ଆପ୍ ଦ୍ୱାରା କିପରି ମତଦାନ କେନ୍ଦ୍ର ନିରୂପଣ କରିପାରିବେ ସେ ସମ୍ବନ୍ଧରେ ଏହି ପୁସ୍ତିକାରେ ଉଲ୍ଲେଖ ରହିଛି। ମତଦାତାମାନେ ନିର୍ବାଚନ ପୂର୍ବରୁ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ମାଧ୍ୟମରେ ନିଜେ ସଚେତନ ହେବା ସହିତ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ଅନୁରୋଧ ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
