ଡ୍ରଗ୍ସ କେଂଟ୍ରାଲ ବିଭାଗ ତରଫରୁ ରେଗୁଲାର ଚଢ଼ାଉ କରାଯାଉଛି – ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୨ ଡିସେମ୍ବର (ହି.ସ.) – ନକଲି ଔଷଧ ନେଇ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ। କଂଗ୍ରେସ ବିଧାୟକ ମୁଖ୍ୟ ସଚେତକ ରାଜନ ଏକ୍କା କହିଛନ୍ତି ଡବଲ ଇଂଜିନ ସରକାର ଆସିବା ପରେ ଏପରି ଘଟଣା ଘଟୁଛି। ବିଭିନ୍ନ ଜାଲି କମ୍ପାନୀ ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଚଢ଼ାଉକୁ ଆହୁରି ଜୋରଦାର କରି ନକଲି ଔଷଧ ଜବତ କରାଯାଉ। ସରକାର କେବଳ କଥା ଦେଉଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ୨୦୦ ରୁ ଅଧିକ ନକଲି ଔଷଧ ବଜାରରେ ବୁଲୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ।
ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ସରକାର ନକଲି ଔଷଧ ବନ୍ଦ କରିବା କଥା। ଲୋକଙ୍କ ସ୍ୱାସ୍ଥ୍ୟ ଯେପରି ଖରାପ ନ ହେଉ, ତାହା ସରକାରଙ୍କ ଦାୟିତ୍ୱ। ହେଲେ ପୂର୍ବ ସରକାରକୁ ଦାୟୀ କରି ଖସିବା କଥା ସରକାରଙ୍କ ରୁଗ୍ଣ ମାନସିକତା।
ଅନ୍ୟପକ୍ଷରେ ନକଲି ଔଷଧ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ବର୍ତମାନ ଆକ୍ସନ ମୋଡ଼ରେ ଅଛି। ଡ୍ରଗ୍ସ କେଂଟ୍ରାଲ ବିଭାଗ ତରଫରୁ ରେଗୁଲାର ଚଢ଼ାଉ କରାଯାଉଛି। ନକଲି ଔଷଧ ଜବତ କରାଯାଉଛି। ଆଗାମୀ ଦିନରେ ଏହାକୁ ବ୍ୟାପକ କରିବେ ସରକାର। ବିଭିନ୍ନ ସମୟରେ ନକଲି ମେଡ଼ିସିନ ବଜାରକୁ ଛାଡିବାକୁ ଚକ୍ରାନ୍ତ ହୋଇଥାଏ। ସ୍ୱାସ୍ଥ୍ୟ ବିଭାଗ,ଡ୍ରଗ୍ସ କେଂଟ୍ରାଲର ଓ ପୋଲିସ ବିଭାଗ ମିଳିତ ଭାବେ ଚଢ଼ାଉ ସହ ଏହାର ଉତ୍ସକୁ ଖୋଜୁଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
