

ସମ୍ବଲପୁର, ୨୦ ଅକ୍ଟୋବର (ହି.ସ) ସମ୍ବଲପୁର ସହରର ଗୋବିନ୍ଦତୋଳା ଠାରେ ଆୟୋଜିତ ୫୫ ତମ ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ବିଲ୍ଵବରଣ ପୂଜା ଵିଧି ଓ କଳସାଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ନିଷ୍ଠାର ସହ ପୂଜାବିଧି ପଣ୍ଡିତ ଜଗଦିଶ ଦାଶ ଓ ସହଯୋଗୀ ସୁଶ୍ରିତ ଷଡ଼ଙ୍ଗୀ, ଶଶାଙ୍କ ବେହେରା ପ୍ରମୁଖଙ୍କ ପୌରାହିତ୍ୟରେ, ଚଳିତ ବର୍ଷର ପୂଜା କର୍ତ୍ତା ଦମ୍ପତ୍ତି ଦାଶରଥି ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ନିକିତା ପଣ୍ଡାଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା l ଗୋବିନ୍ଦତୋଳା ବସ୍ତିରେ ବିଲ୍ଵ ବରଣ ପୂଜାବିଧି କରିବା ପରେ ମହାନଦୀ ଓ ହରଡ଼ ଜୋର ସଙ୍ଗମ ସ୍ଥାନରେ ପୂଜାବିଧି କ୍ରମେ କଳସ ବୁଡ଼ା ତଥା ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ଏହି କ୍ରମରେ ଗୋବିନ୍ଦତୋଳା ସ୍ଥିତ ଶିବ ମନ୍ଦିରରେ ଓ ରାଧାକୃଷ୍ଣ ମନ୍ଦିରରେ ପୂଜା ଅର୍ଚ୍ଚନା ପୂର୍ବକ ଶାରଦୀୟ ପୂଜା ନିମନ୍ତ୍ରଣ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୯ ଜଣ ସ୍ତ୍ରୋତୀୟ ବ୍ରାହ୍ମଣ ଦୀପକ ପଣ୍ଡା, ଜଗନ୍ନାଥ ପଣ୍ଡା, ରଂଜିତ ରଥ, ପ୍ରକାଶ ପଣ୍ଡା, ସ୍ୱରୂପ ପୁରୋହିତ, ଅନିଲ ନାୟକ, ପ୍ରତୀକ ପଣ୍ଡା, ନିମାଇଁ ଚରଣ ପଣ୍ଡା ଓ ନିପଙ୍କର ସେନ୍ ପ୍ରମୁଖଙ୍କ ସମେତ ଅନେକ ମହିଳା ସଂକଳ୍ପ ରଖି କଳସ ବୁଡାଇଥିଲେ । ଏହି କଳସ ଯାତ୍ରା ଓ ବିଲ୍ଵ ବରଣ ପୂଜାବିଧି ଗୌରୀଦାଶ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ବସନ୍ତ ଦାଶ, ଜୟନାରାୟଣ ଶତପଥି, ପ୍ରଦୀପ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଚଳିତ ବର୍ଷର ଆଜିର ଶାରଦୀୟ ଦୁର୍ଗାପୂଜାର ପ୍ରାରମ୍ଭିକ ପୂଜାବିଧି କାର୍ଯ୍ୟକ୍ରମରେ କମିଟିର ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଶୁଭମ ମହାପାତ୍ର, କୋଷାଧକ୍ଷ ବାଙ୍କବିହାରୀ ପଣ୍ଡା, ଲଟେରୀ କମିଟି ଅଧ୍ୟକ୍ଷ ଅଜୟ ସାହୁ, ଶ୍ରୀକାନ୍ତ ପଣ୍ଡା,କରୁଣାକର ଶତପଥି, ହିମାଂଶୁ ଶେଖର ପ୍ରଧାନ, ଦିଲୀପ ଠାକୁର, ବାବୁଲୁ ପଣ୍ଡା ଙ୍କ ସହ ଶତାଧିକ ମହିଳା, ପୁରୁଷ ତଥା ଯୁବକ ମାନେ ସାମିଲ ହୋଇଥିଲେ । ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ଦୂଲଦୁଲି, ଘଣ୍ଟ, ଶଙ୍ଖ ଓ ବାଦ୍ୟକୁ ସାମିଲ କରାଯାଇଥିଲା । ରାସ୍ତାର ବିଭିନ୍ନ ସ୍ଥାନ ସମେତ ପ୍ରତ୍ୟେକଙ୍କ ଘର ସମ୍ମୁଖରେ ରଙ୍ଗୋଲି, ଚିତାଲାଗି ଦୀପ ଓ କଳସୀ ଲଗାଇ ମାଁ ଭୁବନେଶ୍ୱରୀଙ୍କ କଳସ ଯାତ୍ରାକୁ ସ୍ୱାଗତ ସମ୍ମାନ ଜଣାଇଥିବା ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ /ସମନ୍ୱୟ
