ମାଲକାନଗିରି, ୧୧ ଫେବୃଆରୀ: ଓଡିଶା ସରକାର ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ବିଭାଗ ତରଫରୁ ଆର୍ଥିକ ସହାୟତା ଏବଂ ନିର୍ଦ୍ଦେଶ କ୍ରମେ ଆଜି ଚିତ୍ରକୋଣ୍ଡା ଇକୋ ପାର୍କ ଠାରେ ଏକ ଦିବସୀୟ ପ୍ରକୃତି ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ନୋଡାଲ ଅଧିକାରୀ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଆୟୋଜିତ କରିବା ସହିତ ସଭାପତିତ୍ୱ କରିଥିଲେ । ଶିବିରରେ ମୁଖ୍ୟ ଅତିଥି ରୂପେ ଡକ୍ଟର ଧନେଶ୍ୱର ମହାପାତ୍ର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗଦେଇ ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଜଳ, ଜମି, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନକୁ ପରୀକ୍ଷା ମୂଳକ ଭାବେ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ସହକାରୀ ଜଙ୍ଗଲ ସଂରକ୍ଷଣ ଅଧିକାରୀ ଲିଲି ଅମାନତ୍ୟ ଯୋଗଦାନ କରି ଜଙ୍ଗଲରେ ନିଆଁ ନ ଲଗାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ବନାଞ୍ଚଳ ଅଧିକାରୀ ବଳରାମ ନାୟକ ପ୍ରକୃତି ସହିତ ଖାପ ଖୁଆଇ ଚଳିବା ପାଇଁ ପରାମର୍ଶ ଦେଇଥିଲେ! ଆରତୀ ଲୁଗୁନ, ଦିପ୍ତୀରେଖା ମିଶ୍ର, ବି. ଗୁପ୍ତେଶ୍ୱର ରାଓ ଏବଂ ଅଭିମନ୍ୟୁ ଦଳବେହେରା ଉପସ୍ଥିତ ରହି ଏହି ଶିବିରପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ଶିବିରରେ ୭୫ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଜଳବାୟୁ ବିଷୟରେ, ଶାକାହାରୀ, ଜୀବେଦୟା, ବର୍ଷା ଜଳ ସଂରକ୍ଷଣ, ଚାରା ରୋପଣ ପାଇଁ ନର୍ସରୀ ଓ ଜଙ୍ଗଲ ଇତ୍ୟାଦି ବୁଲି ଦେଖିଥିଲେ । ଶଶାଙ୍କ କୁମାର ଦାସ, ସରୋଜ କୁମାର ପରିଡା ସାହାଯ୍ୟ କରିଥିବା ବେଳେ ଖଣ୍ଡୀୟ ବନାଧିକାରୀ ପ୍ରତାପ କୋଟାପଲ୍ଲୀ ଏହି ଶିବିର କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହିଭଳି ଶିବିର ମାଲକାନଗିରିରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।
