ଚଣ୍ଡିଖୋଲ/ଭୁବନେଶ୍ୱର, ଓଡ଼ିଶା ବିକଶିତ ଭାରତର ଗେଟ୍ ୱେ ହେଉ । ଅବ୍ କି ବାର୍ ଚାର୍ ଶୋ ପାର୍ ସଂକଳ୍ପ ସ୍ପଷ୍ଟ ହେଉଛି । ଦେଶରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ପୁଣି ଥରେ । ଏ ସଂକଳ୍ପ କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନ ପରିବର୍ତନ କରିବ । ଓଡ଼ିଶାର ସଂକଳ୍ପ କ’ଣ ତାହା ଏହି ଭିଡ଼ରୁ ଜଣାପଡୁଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ ମୋଦି ଗ୍ୟାରେଂଟି ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତକୁ ବିଶ୍ୱର ତୃତୀୟ ବୃହତ ଆର୍ôଥକ ସମୃଦ୍ଧଶାଳୀ ରାଷ୍ଟ୍ର କରିବାର ଅଛି । ୪୦୦ ପାର ସଂକଳ୍ପ ଦେଶରେ ଏକ ମଜବୁତ ସରକାର କରିବାର ଅଛି । ଏହି ସଂକଳ୍ପ, ଚାଷୀ, ଯବାନ, ମହିଳାଶକ୍ତି, ଗରିବଙ୍କ ଜୀବନ ବଦଳାଇବା ପାଇଁ । ଏଥିରେ ପୂର୍ବ ଭାରତର ଅର୍ଥାତ ଓଡ଼ିଶାର ବଡ଼ ଭୂମିକା ରହିବ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଗତ ୧୦ ବର୍ଷ ହେଲା ବିଜେପି ସରକାର ଅଦ୍ଭୁତପୂର୍ଣ୍ଣ ନିବେଶ କରୁଛି । ଆମର ଉଦ୍ୟମ ହେଉଛି ଯେ, ଓଡ଼ିଶା ବିକଶିତ ଭାରତର ଦ୍ୱାର ହେଉ । ଆତ୍ମନିର୍ଭର ଭାରତକୁ ଓଡ଼ିଶା ଶକ୍ତି ଯୋଗାଉଛି । ଗ୍ୟାସ, ସିଏନ୍ଜି ଆଧାରିତ ଯାତାୟତ, ଶିଳ୍ପ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଛି । ଏଠାରୁ ଗ୍ୟାସ ପାଇପଲାଇନ୍ ମାଧ୍ୟମରେ ପୂର୍ବ ଭାରତକୁ ଯୋଡୁଛି । ଟେକ୍ସଟାଇଲ ପାର୍କ ପାଇଁ କଂଚାମାଲ ଏଠାରେ ଉତ୍ପାଦନ ହେଉଛି । ଅଧିକ ନିବେଶ ଅର୍ଥ ଚାକିରି ପାଇଁ ସର୍ବାଧିକ ଅବସର ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଥିଲେ, ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା । ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା । ଆଜି ବିକାଶ ପାଇଁ ଯେଉଁ ବଡ଼ କାମ ହେଉଛି, ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା । କିନ୍ତୁ ଏହା ପୂର୍ବରୁ କଂଗ୍ରେସ ଓ ଏହାର ସାଥୀଦଳଗୁଡ଼ିକ ଦେଶକୁ ଲୁଟିବାରେ ବ୍ୟସ୍ତ ଥିଲେ । କଂଗ୍ରେସ ସରକାର କୋଇଲା ଲୁଟିଥିଲେ । ଗରିବଙ୍କୁ ଖାଦ୍ୟ ଦେବା ପାଇଁ କେମିତି ଚିନ୍ତା କରିଥାନ୍ତେ? କଂଗ୍ରେସ ସରକାରରେ ୟୁରିଆ ଦୁର୍ନୀତି ହୋଇଥିଲା । ଚାଷୀଙ୍କୁ ଶସ୍ତାରେ ୟୁରିଆ ମିଳିପାରୁ ନଥିଲା । କଂଗ୍ରେସ ନିଜ ପରିବାର ପାଇଁ କାମ କରୁଥିଲା । ନିଜ ପୁଅ, ନାତି, ଅଣନାତି ପାଇଁ କାମ କରୁଥିଲା । କିନ୍ତୁ ମୋଦି ଦେଶ ପାଇଁ କାମ କରୁଛି । ଦେଶର ଭବିଷ୍ୟତ ପିଢ଼ି ପାଇଁ କାମ କରୁଛି । ଇଣ୍ଡି ମେଂଟକୁ ଟାର୍ଗେଟ୍ କରି ମୋଦି କହିଥିଲେ ସେହି ମେଂଟର ଲକ୍ଷ୍ୟ ହେଲା ମୋଦି ସରକାରକୁ ହଟାଇବା । କିନ୍ତୁ ଭାରତକୁ ବିଶ୍ୱର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର କରିବାର ଲକ୍ଷ୍ୟ ରଖିଛି ମୋଦିସରକାର । ଏଥି ପାଇଁ ମୁଁ ସବୁବେଳେ କହୁଛି, ମେରା ଭାରତ ମେରା ପରିବାର ଅର୍ଥାତ ମୋର ଭାରତ ହେଉଛି ମୋର ପରିବାର ।
ଓଡ଼ିଶାରେ ଅନେକ ଅନୁସୂଚିତ ଜନଜାତି ଅଛନ୍ତି, ଯାହାଙ୍କୁ ମୋଦୀ ପିଏମ୍ ଜନମନ ଯୋଜନା ମାଧ୍ୟମରେ ରୋଜଗାର ଦେଇଛି । ଏକଦା ଗରିବଙ୍କ ପାଇଁ ଯାହ ସ୍ୱପ୍ନ ଥିଲା, ଏବେ ତାହା ଅଧିକାର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ସେହିପରି ଉପସ୍ଥିତ ଜନତାଙ୍କ ଉତ୍ସାହକୁ ମୋଦି ପ୍ରଶଂସା କରି କହିଛନ୍ତି ଯେ ଆପଣଙ୍କର ଉତ୍ସାହ ମୋତେ କାମ କରିବାକୁ ଅଧିକ ବଳ ଯୋଗାଇବ । ଓଡ଼ିଶା ଭଗବାନ ସୂର୍ଯ୍ୟଦେବଙ୍କ ଭୂମି । ସୂର୍ଯ୍ୟଦେବଙ୍କ ପ୍ରେରଣାରେ ମୋଦି ଏକ ଗ୍ୟାରେଂଟି ଦେଉଛି । ମାଗଣାରେ ବିଦ୍ୟୁତ୍ ଦେବା ପାଇଁ ଯୋଜନା ଆରମ୍ଭ କରିଛି । ବିଜେପି ସରକାର ମାଗଣା ବିଦ୍ୟୁତ ଯୋଜନା ଆରମ୍ଭ କରିଛି । ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ୩୦୦ ୟୁନିଟ୍ ଉତ୍ପାଦନ କରିପାରିବେ । ଚାଷୀମାନେ ଚାଷଜମିରେ ସୋଲାର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରିପାରିବେ ।
ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ ।
