ହରିଚନ୍ଦନପୁର, ୨୯ ଜାନୁଆରୀ (ହି.ସ.)- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ନନ୍ଦରା ଗ୍ରାମ ନିକଟରେ ଆଜି ଅଖିଳ ଭାରତୀୟ ଗୋଁଣ୍ଡଓ୍ବାନା ଗୋଁଣ୍ଡ ମହାସଭା ପକ୍ଷରୁ ବାର୍ଷିକ ପୁଷ୍ପ ପୁନେଇଁ ଉତ୍ସବ ୨୦୨୪ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସଂପ୍ରଦାୟର ମହିଳାମାନେ ନିକଟରେ ଥିବା ମିନାଝରୀ ନାଳରୁ ବହୁଲଡି଼ ମଣ୍ଡପ ପର୍ଯ୍ୟନ୍ତ କଳସ ଶୋଭାଯାତ୍ରାରେ ଆସିଥିଲେ । ଏବଂ ପରେ ନିତି ନିୟମ ଅନୁସାରେ ତୁଳସୀ ଚଉଁରାରେ ପୂଜାର୍ଚ୍ଚନା କରିବା ପରେ ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅଖିଳ ଭାରତୀୟ ଗୋଁଣ୍ଡଓ୍ବାନା ଗୋଁଣ୍ଡ ମହାସଭାର କେନ୍ଦୁଝର ସଭାପତି ଚନ୍ଦ୍ରମୋହନ ନାୟକ, ଉପସଭାପତି ଭବାନୀ ଶଙ୍କର ନାୟକ, ଜିଲ୍ଲା ମହିଳା ସେଲର ସଭାପତି ଯଶୋଦା ମାନସିଂହ, ଜିଲ୍ଲା କମିଟିର ମହାସଚିବ ଗୋରେଖ ଚନ୍ଦ୍ର ନାୟକ ଓ ପିଠାଗୋଳା ସରପଞ୍ଚ ଦିଗାମ୍ବର ନାଏକ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ । ଏହି ସଭାରେ ଗୋଁଣ୍ଡ ସମାଜ ସଂସ୍କୃତି ଓ ଏହାର ସୁରକ୍ଷା, ସାଂପ୍ରତିକ ସମାଜର ପରିସ୍ଥିତି, ସାମାଜିକ ସଂଗଠନ ଓ ଗୋଁଣ୍ଡ ଜାତିର ଇତିହାସ ଓ ସମାଜରେ ନାରୀ ସଂଗଠନର ଆଭିମୁଖ୍ୟ ସମ୍ବନ୍ଧରେ ମଞ୍ଚାସିନ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏଥିସହ ଏହି ସଂପ୍ରଦାୟର ଯୁବକ ଯୁବତୀମାନେ କିଭଳି ସମସ୍ତ କାର୍ଯ୍ୟରେ ଆଗରେ ରହି ନିଜ ଜାତି ଓ ସମାଜର ଗୋୖରବ ଆଣିପାରିବେ ସେନେଇ ବୈଠକରେ ତାହାକୁ ଗୁରୁତ୍ବ ଦିଆଯାଇଥିଲା । କୁନିକୁନି ବାଳକ ବାଳିକାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରାଯାଇଥିଲା ।
ପରେ ଜାତି ଭିତ୍ତିକ କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ଦଣ୍ଡପାଟ, ବିପିନ୍ ନାୟକ, ମୁରଲୀଧର ନାୟକ, ରଙ୍ଗାଧର ନାୟକ, ଜଳଧର ନାୟକ, ସୁରେନ୍ଦ୍ର ନାୟକ, ପରମେଶ୍ଵର ନାୟକ, ଶ୍ୟାମସୁନ୍ଦର ନାୟକ, ଦୀଲ୍ଲିପ କୁମାର ନାୟକ, ବୈକୁଣ୍ଠ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
