
ଭୁବନେଶ୍ୱର, 25 ନଭେମ୍ବର (ହି.ସ.) – ଉତରାଖଣ୍ଡ ଉତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ଉତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତରଂଜନ ନାୟକ ।ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତର କାଶୀ ରେ ପହଂଚି ସାରିଛନ୍ତି । ଏହାଦ୍ୱାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ ।
ସୂଚନାଯୋଗ୍ୟ ଯେ ଦୀର୍ଘ ୧୩ ଦିନ ଧରି ଉତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି । ଏହି ଶ୍ରମିକ ମାନେ ହେଲେ – ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଂଜର ବିଶେଶ୍ୱର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ ।
ଏହି ଶ୍ରମିକଙ୍କ ପରିବାର ସଦସ୍ୟ ୫ଟି ଅଧ୍ୟକ୍ଷଙ୍କୁ ନବୀନ ନିବାସ ରେ ସାକ୍ଷାତ କରିଥିଲେ । ୫ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ । ରାଜ୍ୟ ସରକାରଙ୍କ ଅଫିସର ଓ ସ୍ୱତନ୍ତ୍ର ଟିମ୍ ଉଦ୍ଧାରସ୍ଥଳୀକୁ ଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି । ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଶ୍ରମିକ ମାନଙ୍କ ନିରାପତା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ନିୟମିତ ଖବର ନେଉଛନ୍ତି ବୋଲି ସେ ପରିବାର ସଦସ୍ୟ ମାନଙ୍କୁ କହିଥିଲେ ।
ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ଖୁବ ଶୀଘ୍ର ସେମାନେ ପରିବାରକୁ ଫେରି ଆସିବେ ବୋଲି ୫ଟି ଅଧ୍ୟକ୍ଷ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
