ୟୁନିଟ-୧ ହାଟରେ ନିଆଁ ଲାଗିବା ପରେ ଆକ୍ସନ ମୋଡ଼ରେ ବିଏମସି
–
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ.) – ୟୁନିଟ-୧ ହାଟରେ ନିଆଁ ଲାଗିବା ପରେ ଆକ୍ସନ ମୋଡ଼ରେ ଆସିଛି ବିଏମସି। ଶୁକ୍ରବାର ଦିନ ୟୁନିଟ-୧ ଅଂଚଳରୁ ଫଳ ଦୋକାନୀମାନଙ୍କୁ ଉଠାଯାଇଛି। ରାତିରେ ରାସ୍ତା କଡ଼ରେ ଜିନିଷ ରଖିଥିବାରୁ ତାକୁ ଖାଲି କରିଛି ବିଏମସି। ସମ୍ପୂର୍ଣ୍ଣ ଅଂଚଳକୁ ସଫେଇ କରାଯାଇଛି। ସକାଳେ ଓ ସନ୍ଧ୍ୟାରେ ନିର୍ଦ୍ଦିଷ୍ଟ ସମୟ ଭିତରେ ବେପାର କରିବେ। ସମୟ ସରିଲେ ଫଳ ଗାଡିକୁ ରାସ୍ତା କଡରେ ଆଉ ରଖିପାରିବେନି। ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।
ମେୟର ଆହୁରି କହିଛନ୍ତି ରାସ୍ତାକଡରେ ଡ୍ରେନ ଉପରେ ଠେଲା ରଖି ବେପାର କରିବାରୁ ଡ୍ରେନ ସଫେଇ ହୋଇପାରୁନି। ସର୍ବସାଧାରଣଙ୍କ ଯାତାୟାତରେ ବି ସମସ୍ୟା ସୃଷ୍ଟି ହେଉଛି। ସପ୍ତାହେ ଭିତରେ ଏନେଇ ଉଠାଦୋକାନୀଙ୍କୁ ସଚେତନ କରାଯିବ। ଅନ୍ୟପଟେ କିଛି ଲୋକ ଭେଣ୍ଡିଂ ଜୋନକୁ ଭଡାରେ ଦେଇ ଠେଲାରେ ବେପାର କରୁଛନ୍ତି। ଏଭଳି କାର୍ଯ୍ୟକୁ ବନ୍ଦ ନକଲେ ଭେଣ୍ଡିଂ ଜୋନକୁ ରଦ୍ଧ କରିବାକୁ ଚେତାବନୀ ଦେଇଛି ବିଏମସି।
ସେହିପରି ବିଭିନ୍ନ ସପିଂ ମଲରେ ପାର୍କିଂ ଫି କୁ ନେଇ ବିଏମସି କମିଶନର ଚଂଚଳ ରାଣା ପ୍ରତିକ୍ରିୟା ଦେଇ କହିଛନ୍ତି ହାଇକୋର୍ଟ ରେ ଏହି କେଶ ଶୁଣାଣି ହୋଇଥିଲା ଏବଂ ବିଏମସି ଏହାକୁ ଦୃଷ୍ଟିରେ ରଖିଛି ସେମାନଙ୍କୁ ବିଭିନ୍ନ ଦିଗରେ ଅଧିକାର ରହିଛି ପାର୍କିଂ ଫି ଆଦାୟ ପାଇଁ କିନ୍ତୁ ଏହାକୁ ସେମାନେ ବିଜନେସ ଓରିଏଂଟ କଲେ ବିଏମସି ଆକ଼୍ସନ ନେବ ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
