






ମାଲକାନଗିରି, ୨୧ ଡିସେମ୍ବର (ହି.ସ.)- ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ମାଲକାନଗିରିର ପଞ୍ଚବିଂଶତମ ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇଥିବା ବେଳେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ଵାଇଁ ମୁଖ୍ୟ ବକ୍ତା, ମାଲକାନଗିରି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଆଦିତ୍ୟ ମାଢ଼ି ବିଶିଷ୍ଟ ଅତିଥି, ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ନିମାଇଁ ପାଲ, ସି. ଆର. ସି. ସି ବିନୋଦବିହାରୀ ଦାଶ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ସଭାପତି ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ମହାରଣାଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ପରିଚାଳନା କମିଟିର ସମ୍ପାଦକ ରମେଶଚନ୍ଦ୍ର ରାଉତ ସ୍ଵାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ସୁଧାଂଶୁ ଶେଖର ସାମଲ ସହ ସମ୍ପାଦକ ସୋମନାଥ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ପାରମ୍ପରିକ ରୀତିରେ ବିଦ୍ୟାଦାତ୍ରୀ ମା ସରସ୍ବତୀ ଓ ଭାରତମାତାଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଇ ଗୁରୁ ବନ୍ଦନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ଦାସ ବିଦ୍ୟାଳୟ ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହ ବିଦ୍ୟାଳୟର ଅଭାବ ଅସୁବିଧାର ନିରାକରଣ ନିମନ୍ତେ ମଞ୍ଚାସୀନ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟଅତିଥି ସରସ୍ଵତୀ ଶିଶୁ ମନ୍ଦିରଗୁଡ଼ିକ କିଭଳି ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡିକଠାରୁ ଭିନ୍ନ ଓ ସ୍ଵତନ୍ତ୍ର ସେ ବିଷୟରେ ନିଜର ଅନୁଭୂତିକୁ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀମାନେ ସାହସ, ଧୈର୍ଯ୍ୟ ଓ ଆନ୍ତରିକତାର ସହ ପାଠପଢାରେ ମନୋନିବେଶ କରିବାପାଇଁ ପରାମର୍ଶ ଦେଇଥିଲେ। ଅନ୍ୟଅତିଥିମାନେ ଶିଶୁ ଭାଇଭଉଣୀ ମାନଙ୍କୁ ପାଠପଢ଼ା ସହ କ୍ରୀଡା, ସଙ୍ଗୀତ, ନୃତ୍ୟ ଓ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ। ବାର୍ଷିକ କ୍ରୀଡା ଉତ୍ସବରେ ଚମ୍ପିୟାନ ହୋଇଥିବା ଖେଳାଳୀ, ୨୦୧୮-୧୯ ଶିକ୍ଷାବର୍ଷ ଠାରୁ ୨୦୨୨-୨୩ ଶିକ୍ଷା ବର୍ଷରେ ତୃତୀୟ ଓ ପଞ୍ଚମ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ୩୨ ଜଣ ଶିଶୁ ଭାଇ ଭଉଣୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ହାଇସ୍କୁଲ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଏକ ହଜାର ଟଙ୍କାର ଚେକ୍ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ କରାଯିବ ପରେ ବିଦ୍ୟାଳୟର ପ୍ରାରମ୍ଭ, ବୋଧ ଶିଶୁ ଭାଇ ଭଉଣୀ ମାନଙ୍କଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ଶିଶୁ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ହଜାର ହଜାର ଛାତ୍ର ଛାତ୍ରୀ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ଓ ନିମନ୍ତ୍ରିତ ଅତିଥିଗଣ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଗଣ ସଫଳତାର ସହ ସମ୍ପର୍ନ୍ନ କରିଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ପରିଶେଷରେ ମଞ୍ଚାସୀନ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।
ହିନ୍ଦୁସ୍ଥାନସମାଚାର /ଶିବବ୍ରତ /ସ୍ୱାଗତିକେ/ସମନ୍ୱୟ
