ପୁରୀ, ୧୨ ଡିସେମ୍ବର (ହି.ସ.)- ଆଜି ଶ୍ରୀମନ୍ଦିରରେ ଦେବ ଦୀପାବଳୀର ଦ୍ଵିତୀୟ ଦିବସରେ ଭକ୍ତମାନେ ପ୍ରଭୁଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗଣଦୀପଦାନ କରିବେ । ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି । ସାଧାରଣତଃ ହିନ୍ଦୁମାନେ ଯେପରି କାର୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ୍ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିବେ । ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ଓ ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିବେ ।
ଶ୍ରାଦ୍ଧ ସମୟରେ ଶ୍ରୀଜଗନ୍ନାଥ କାଶୀଧଡ଼ିଆ ବସ୍ତ୍ର ପିନ୍ଧିଛନ୍ତି । ଏହାର ରଙ୍ଗ ଶ୍ଵେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଛି । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଛନ୍ତି । ଏହି ଅବସରରେ ଠାକୁରମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାମାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି ।
ସେହିପରି ପିତୃଶ୍ରାଦ୍ଧର ତୃତୀୟ ଦିବସରେ ଆସନ୍ତାକାଲି ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ବନ୍ଦାପନା ଭଳି କେତେକ ନୀତି ସମ୍ପାଦନ ହେବାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ମହାପ୍ରଭୁଙ୍କର ଏହି ଶ୍ରାଦ୍ଧବେଶ ଦେଖିବା ଲାଗି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
