ସାଲେପୁର, ୨୫ ଡିସେମ୍ବର (ହି. ସ.) – କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକର ପୂର୍ବାଂଚଳର ଏକ ପ୍ରମୁଖ ରାସ୍ତା ଖନ୍ଦୋଳ-ଉମର-ଝାଡେଶ୍ୱରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି । ସୂଚନା ଫଳକରେ ରାସ୍ତା କାର୍ଯ୍ୟାରମ୍ଭ ଦିବସ ୯.୯.୨୦୨୨ ଓ କାର?୍ୟ୍ୟ ଶେଷ ୮.୮.୨୦୨୩ ଉଲ୍ଲେଖ ରହିଛି । ନିର୍ମାଣ ଅଟକଳ ୬୨୨.୪୧ ଲକ୍ଷ ହୋଇଥିଲା ବେଳେ ରାସ୍ତାର ମୋଟ ଦୈର୍ଘ୍ୟ ୯.୪୦୦ କି.ମି. ପକ୍କା ରାସ୍ତାର ଦୈର୍ଘ୍ୟ ୧.୬୦୦ କି.ମି. ପିଚୁ ରାସ୍ତାର ଦୈର୍ଘ୍ୟ ୭.୭୯୦ କି.ମି. ରହିଥିଲା ବେଳେ ଢଳେଇ କାର୍ଯ୍ୟ ପାଇଁ ମୋଟ ୬୨୦୯ ବସ୍ତା ସିମେଂଟ ଲାଗିବା ସଂପର୍କିତ ତଥ୍ୟ ସୂଚନା ଫଳକରେ ରହିଛି । ଅପରପକ୍ଷରେ ପୁରୁଣା ଢଳେଇ ରାସ୍ତା ଉପରେ ବାଲିପକା ଯାଇ ଟାଇଲି ବିଛାଯିବାର ୧୫ଦିନ ମଧ୍ୟରେ ଝାଡେଶ୍ୱରପୁର ଅଂଚଳର ମହାନ୍ତିସାହି ନିକଟରେ ରାସ୍ତାମଝିରୁ ଟାଇଲ ବାହାରି ଯାଇଥିଲା ବେଳେ ସେଠୀସାହି ନିକଟରେ ରାସ୍ତାରୁ ଟାଇଲି ବାହାରି ଗଲାଣି ଢ଼ଳେଇ ସବୁ ଫାଟି ଗଲାଣି । ଠିକ୍ ଭାବରେ ଟାଇଲ ପଡୁନଥିବାରୁ ଆଗାମୀ ଦିନରେ ଯାତାୟାତରେ ସମସ୍ୟା ସୃଷ୍ଟି ହେବ ବୋଲି ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେନାଲ ଭିତରେ ନିମ୍ନମାନର ଗାର୍ଡୱାଲ ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି । ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହି ରାସ୍ତାକାର୍ଯ୍ୟ ଚାଲୁଥିଲା ବେଳେ ଦାୟିତ୍ୱରେ ଥିବା ଯନ୍ତ୍ରୀ ରାସ୍ତାର ନିର୍ମାଣ କାର୍ଯ୍ୟ ତଦାରଖ ଠିକ୍ ଭାବେ କରୁନଥିବା ବେଳେ ବେଳେ କେବଳ ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କରି ଚାଲିଯାଉଥିବା ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ହୋଇ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ଅବଧି ଶେଷ ହେଲାଣି ହେଲେ କାର୍ଯ୍ୟ ସରୁନି, ଅନେକ ସ୍ଥାନରେ ରାସ୍ତା ଖୋଳାଯାଇଥିବାରୁ ଜନସାଧାରଣ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ନିମ୍ନମାନର ରାସ୍ତା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବାକୁ ରାଜ୍ୟମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରେ ସର୍ବସାଧାରଣରେ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର/ରତ୍ନାକର/ଭାନୁ/ସମନ୍ୱୟ
