ପାରାଦୀପରେ ଭବ୍ୟ ବୋଇତ-ବନ୍ଦାଣ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର, 27 ନଭେମ୍ବର (ହି.ସ.)– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁବକ ମାନଙ୍କୁ ବାଣିଜ୍ୟ ବ୍ୟବସାୟ ପ୍ରତି ଆଗଭର ହେବାକୁ ଆହ୍ୱାନ ଦେଇଛନ୍ତି । ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଆଜିର ଏହି ଭବ୍ୟ ବୋଇତ-ବନ୍ଦାଣ ଉତ୍ସବରେ ଉଦବୋଧନ ଦେଇ ସେ ଏହା କହିଛନ୍ତି ।
ସେ କହିଛନ୍ତି, ଆଜିର ଯୁବପିଢ଼ି ସେମାନଙ୍କର ଯୋଗ୍ୟତା ଅନୁସାରେ ଚାକିରି ବାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ । କଥାରେ ଅଛି, “ବାଣିଜ୍ୟେ ବସତେ ଲକ୍ଷ୍ମୀଃ” । ଯୁବପିଢ଼ି ନିଜ ରୁଚି ଅନୁସାରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ମନୋନିବେଶ କରନ୍ତୁ । ଏହା ଦ୍ୱାରା ସେମାନେ ନିଜେ ଜୀବିକା ଅର୍ଜନ କରିବା ସହିତ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ କରିପାରିବେ ।
ସେ କହିଛନ୍ତି ଯେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଆଜିର ଏହି ଭବ୍ୟ ବୋଇତ-ବନ୍ଦାଣ ଉତ୍ସବରେ ଯୋଗ ଦେଇ ମୁଁ ଆନନ୍ଦିତ । ସର୍ବପ୍ରଥମେ ପବିତ୍ର ରାସ ପୂର୍ଣ୍ଣିମା ଏବଂ ଐତିହାସିକ ବାଲିଯାତ୍ରା ଅବସରରେ ମୋର ପ୍ରିୟ ଦେଶବାସୀ, ବିଶେଷକରି ଓଡ଼ିଶାବାସୀ ଭାଇଭଉଣୀମାନଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି ।
ଆଜି ସାରା ଓଡ଼ିଶାର ପୁରପଲ୍ଲୀରେ ନଦୀ, ପୋଖରୀ ଓ ସମୁଦ୍ରରେ ଆମର ପ୍ରିୟ ଭାଇଭଉଣୀମାନେ ଡଙ୍ଗା ଭସାଇ ସାରିଥିବେ । ଭାରତର ବିଭିନ୍ନ ଅଞ୍ଚଳରେ ଏବଂ ପୃଥିବୀର ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ମଧ୍ୟ ଡଙ୍ଗା ଭସା ପର୍ବରେ ସାମିଲ ହୋଇସାରିଥିବେ । ମୁଁ ଅନେକ ଥର କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଡଙ୍ଗା ଭସାଇଛି । ଆଜି ଏଠାରେ ସେସବୁ ମୋର ମନେ ପଡ଼ିଯାଉଛି
ଭାରତୀୟ ବନ୍ଦରଗୁଡ଼ିକର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସଙ୍ଗେସଙ୍ଗେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଦରକାର । ଏ ଦିଗରେ ଭାରତ ସରକାରଙ୍କ ସାଗରମାଳା କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋର୍ଟ ଡେଭଲପମେଂଟ, ପୋର୍ଟ ଲେଡ ଡେଭଲପମେଂଟ ଆଡ଼କୁ ଗତି କରୁଛି ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା
