ସମ୍ବଲପୁର, ୨୪ ଅଗଷ୍ଟ (ହି.ସ.)- ସମ୍ବଲପୁର ଚାଉଁରପୁର ପୋଲ ଉପରୁ ମହାନଦୀକୁ ଡେଇଁ ନିଖୋଜ ଥିବା ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଗୋବିନ୍ଦତଲା ବ୍ରିଜ ନିକଟରୁ ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ । ଉଦ୍ଧାର ପରେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେ ବୁଢାରାଜା ବାଳିକା ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି । ତେବେ ପ୍ରେମ ସମ୍ପର୍କରେ ହତାଶ ହେବାପରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଶୁଣିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଚାଉଁରପୁର ପୋଲ ଉପରୁ ନଦୀକୁ ଡେଇଁପଡି ଛାତ୍ରୀ ଜଣକ ନିଖୋଜ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ ଓ ପୋଲିସ ପହଂଚି ଖୋଜାଖୋଜି ପରେ ତାଙ୍କୁ ଗୋବିନ୍ଦତଲା ବ୍ରିଜ ନିକଟରୁ ଉଦ୍ଧାର କରିଥିଲେ । ଛାତ୍ରୀ ଜଣକ ନଦୀକୁ ଡେଇଁବା ପୂର୍ବରୁ ପୋଲ ଉପରେ ଛାଡି ଯାଇଥିବା ତାଙ୍କ ସାଇକେଲ, ମୋବାଇଲ, ବ୍ୟାଗ୍ କୁ ପୋଲିସ ଉଦ୍ଧାର କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
