ଭୁବନ, ୧୬ ଜାନୁଆରୀ (ହି.ସ.) – ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ରେ ନୁଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ପାରିମାଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାଣି ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଓଡ଼ିଆ ଭାଷା, ସଂସ୍କୃତ ଭାଷା ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଓଜସ୍ୱିନୀ ଭାଷଣ ପ୍ରଦାନ କରି ସମସ୍ତ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପାରିମାଳ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଫୁଲ୍ଲ କୁମାର ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଓଡ଼ିଆ ଭାଷାର ଅତୀତ ତଥା ବର୍ତମାନର ସାମାଜିକ ମୂଲ୍ୟବୋଧ ଉପରେ ଉପାଦେୟ ବକ୍ତୃତା ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ଜଗନ୍ନାଥ ସଂସ୍କୃତି ଉପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ଅଧ୍ୟକ୍ଷ ଦାଶ ସଭା ପ୍ରାରମ୍ଭରେ ଅତିଥି ଦ୍ୱୟଙ୍କୁ ପୁଷ୍ପ ଗୁଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ମିଶ୍ର, ସୁଧାଂଶୁ ପାତ୍ର, ଅଧ୍ୟାପିକା ସ୍ୱପ୍ନିତା ରାଉତ ଓଡ଼ିଆ ଭାଷା ଉପରେ ଭାଷଣ ଦେଇଥିଲେ । ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟା ଅମିତାଞ୍ଜଳି ମିଶ୍ର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ/ସମନ୍ୱୟ
