ସମ୍ବଲପୁର, ୦୩ ଡିସେମ୍ବର(ହି.ସ.) – ପ୍ରାୟ ୨ ହଜାର ବର୍ଷର ପ୍ରାଚୀନ ଇତିିହାସ ବହନ କରୁଥିବା ବର୍ତମାନର ସମ୍ବଲପୁର ସହରରେ ୫ଶହ ବର୍ଷର ଐତିହ୍ୟ ରହିଛି। ସମୃଦ୍ଧ ପ୍ରସଙ୍ଗ, ସ୍ଥାପତ୍ୟ, ଅଳଙ୍କାର, ସଂଗ୍ରାମ, ଆଧୁନିକ କାରିଗରୀ କୌଶଳ, ଶିକ୍ଷା, ଶିଳ୍ପ, କଳା ଓ ସଂସ୍କୃତିକୁ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସମ୍ବଲପୁରରେ ସଂଗ୍ରହାଳୟର ପରିକଳ୍ପନା ସାର୍ଥକ ହୋଇପାରି ନାହିଁ। ବର୍ତମାନ ସହରରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଡିଷ୍ଟ୍ରିକ୍ଟ ହଲ୍?କୁ ସଂଗ୍ରହାଳୟର ରୂପ ଦେବା ପାଇଁ ସ୍ଥିର କରାଯାଇଛି। ଏଠାରେ ଅଂଚଳର ଐତିହ୍ୟ ଓ ବୈଭବ୍ୟକୁ ସଂରକ୍ଷିତ କରାଯାଇ ପ୍ରଦର୍ଶନ କରାଯିବ। ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଲିରାମ ବୋନ୍ଦର, ମହାନଗର ନିଗମ କମିଶନର ରେହାନ କ୍ଷେତ୍ରୀ ପ୍ରମୁଖ ଇନ୍ଟାକ୍ର ନିର୍ଦ୍ଦେଶକଙ୍କ ସହିତ ଡିଷ୍ଟ୍ରିକ୍ଟ ହଲ୍ ଓ ଏହାର ପରିସର ପରିଦର୍ଶନ କରିଛନ୍ତି। ଏମାନେ ଏହାର ପୁନଃରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହିତ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ, ୧୨୦ ବର୍ଷ ପୁରାତନ ଭିକ୍ଟୋରିଆ ଡିଷ୍ଟ୍ରିକ୍ଟ ହଲ ବା ବର୍ତମାନର ବୀର ସୁରେନ୍ଦ୍ର ସାଏ ଟାଉନ୍ ହଲ୍ ନିର୍ମାଣ କରାଯାଇଥିଲା। ଇଣ୍ଡିଏନ୍ ନ୍ୟାସନାଲ ଟ୍ରଷ୍ଟର୍ ଆର୍ଟ ଓ କଲଚରାଲ ହେରିଟେଜ୍ – ଇନ୍ଟାକ୍ ପକ୍ଷରୁ ଏଠାରେ ପଶ୍ଚିମଓଡ଼ିଶାର ଜନଜୀବନ, ପରମ୍ପରା ଏବଂ ସଂସ୍କୃତିକୁ ନେଇ ଏକ ସଂଗ୍ରହାଳୟ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ଭବନର ପୁନଃରୁଦ୍ଧାର ଓ ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଉତାରୁ ସଂଗ୍ରହାଳୟ ପାଇଁ ପୁରାତନ ସାମଗ୍ରୀ ସଂଗ୍ରହ କରାଯାଉଛି। ଏବେ ଏଠାରେ ସମ୍ବଲପୁରୀ ବାନ୍ଧ ବସ୍ତ୍ର ତିଆରି ପାଇଁ ଦରକାର ହେଉଥିବା ହସ୍ତତନ୍ତ, ପାରମ୍ପାରିକ ଅଳଙ୍କାର, ବାଦ୍ୟଯନ୍ତ୍ର, ଘରକରଣା ସାମଗ୍ରୀ, ଲୁପ୍ତପ୍ରାୟ ଖେଳଣା ସାମଗ୍ରୀ, ବସ୍ତ୍ରର ପୁରାତନ ଡିଜାଇନ୍ ସଂଗ୍ରହ କରାଯାଉଛି। ହସ୍ତତନ୍ତକୁ ପ୍ରସ୍ତାବିତ ସଂଗ୍ରହାଳୟରେ ରଖାଯାଇଛି। ନିଜ ନିଜ ଘରେ ଥିବା ଏହିଭଳି ସାମଗ୍ରୀକୁ ସଂଗ୍ରହାଳୟ ପାଇଁ ପ୍ରଦାନ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ମାସ ଏହି ଭବନକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ। ଅଂଚଳର ରାଜା, ଜମିଦାର, ବ୍ୟବସାୟୀ ଏବଂ ଧନାଢ଼୍ୟ ଲୋକଙ୍କ ଠାରୁ ମିଳିଥିବା ୯,୪୧୭ ଟଙ୍କାରେ ୧୯୦୨ ମସିହାରେ ଏହି ଟାଉନ୍ ହଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୦୪ରେ ଏହାକୁ ତତ୍କାଳୀନ ସେଂଟ୍ରାଲ ପ୍ରୋଭିନ୍ସର ମୁଖ୍ୟ ଆୟୁକ୍ତ ଏହି ହଲ୍କୁ ଉଦ୍ଘାଟନ କରିଥିଲେ। ଏହି ହଲ୍ ଓ ପାଖରେ ଥିବା ପଡ଼ିଆ ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମ, ଭାଷା ଆନ୍ଦୋଳନ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଦ୍ୟମ, ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନ ଭଳି ବହୁ ଐତିହାସିକ ପ୍ରସଙ୍ଗ ସହିତ ଜଡ଼ିତ। ଏଠାରେ ସଂସ୍କୃତି ବିଭାଗର ପାଠାଗାର, ସରକାରୀ ମହିଳା କଲେଜ, ନେତାଜୀ ସୁଭାଷଚନ୍ଦ୍ର ବୋଷ କଲେଜ, ସମ୍ବଲପୁର ଉନ୍ନୟନ କର୍ତୃପକ୍ଷ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପ୍ରଭୃତି ବହୁ ଅନୁଷ୍ଠାନର କାର୍ଯ୍ୟାରମ୍ଭ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
…………………………………
ହିନ୍ଦୁସ୍ଥାନ ସମାଚାର / ଶୈଳେଶ
