ଭୁବନେଶ୍ୱର, ୦୧ ଡିସେମ୍ବର (ହି.ସ) – ତୁରନ୍ତ ଭତା ବୃଦ୍ଧି ଘୋଷଣା ଓ ଅନ୍ୟାନ୍ୟ ଦାବିରେ ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ତରଫରୁ ଆସନ୍ତା ଡିସେମ୍ବର ୧୨ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ସମାବେଶ ପାଇଁ ଆଜି ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆହ୍ୱାନ ଦିଆଯାଇଛି। ସଂଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ କହିଛନ୍ତି ଗତବର୍ଷ ବିକ୍ଷୋଭ ପୂର୍ବରୁ ବିଭାଗୀୟ ସଚିବ ଓ ଅଧିକାରୀ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। ଅଙ୍ଗନୱାଡି କର୍ମୀଙ୍କ ବିଭିନ୍ନ ଦାବି ଯଥା ଫେସ୍ କ୍ୟାପ୍ଚର ଓ ଇକେୱାଇସି
ଅପ୍ଡେଟ୍ କରିବା ନିଷ୍ପତି ପ୍ରତ୍ୟାହାର, ନୂତନ ୫ଜି’ର ମୋବାଇଲପ୍ରଦାନ, ଗତ ନିର୍ବାଚନରେ ପ୍ରତିଶ୍ରୁତି ଅନୁସାରେ ଭତ୍ତାବୃଦ୍ଧି ସହ ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତି ଅନୁସାରେ ୱାର୍କର ମାନ୍ୟତା, ସାମାଜିକ ସୁରକ୍ଷା,ଅବସରକାଳୀନ ଦେୟ ୫ଲକ୍ଷ ଟଙ୍କାକୁ ବୃଦ୍ଧି, ବଜାର ଦର ଅନୁସାରେ ଏସ୍ଏନ୍ପି ଦର ସଂଶୋଧନ,
ସଂସଦୀୟ କମିଟି ସୁପାରିଶ ଅନୁସାରେ ଏଏନ୍ଏମ୍ ଓ ପ୍ରାଥମିକ ଶିକ୍ଷକ ପଦବୀ ପାଇଁ କୋଟା ଧାର୍ଯ୍ୟ, ଅଘୋଷିତ ଭାବରେ ବନ୍ଦ ହୋଇଥିବା ୫ବର୍ଷ ଓ ୧୦ବର୍ଷର ଇନ୍କ୍ରିମେଂଟ; ଓ ବିଭିନ୍ନ ବୈଠକ ପାଇଁ ଟିଏ. ଡିଏ ପ୍ରଦାନ ଆଦି ଦାବିରେ ଆନ୍ଦୋଳନକୁ ସଫଳ ପାଇଁ ଆହ୍ୱାନ ଦିଆଯାଇଛି।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
