ପୁରୀ, ୫ ନଭେମ୍ବର (ହି.ସ.)- ବିଶ୍ଵ ବିଖ୍ୟାତ ସହର ହେବ ପୁରୀ । ବିଶ୍ଵର ଧାର୍ମିକ ପୀଠ ମଧ୍ୟରେ ପୁରୀ ଅନ୍ୟତମ । ବିଶ୍ଵସ୍ତରୀୟ ଐତିହ୍ୟ ସହର ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ପୁରୀ ଚାରିପଟ ଲିଙ୍କ୍ ରୋଡ଼ ସହ ଶ୍ରୀସେତୁ ଓ ବିମାନ ବନ୍ଦର ନିର୍ମିତ ହେବ । ଏସବୁ ସତ୍ବେ ପୁରୀକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଆସୁଛନ୍ତି । ସେମାନେ ସିଂହଦ୍ଵାରରୁ-ସ୍ଵର୍ଗଦ୍ବାର ସମୁଦ୍ରକୂଳ ଯିବା ପାଇଁ ବାଲିସାହି ହେଉଛି ପ୍ରମୁଖ ରାସ୍ତା । ଗତ କିଛି ମାସ ତଳେ ଜିଲ୍ଲାପାଳ ଓ ପ୍ରଶାସନ ଅଧିକାରୀମାନେ ବାଲିସାହିର ମୁରବି ଓ କ୍ଷତିଗ୍ରସ୍ତ ବ୍ୟବସାୟୀ ଓ ଘର ମାଲିକଙ୍କୁ ଡ଼ାକି ବୈଠକ କରିବା ସହ ଖୁବ ଶୀଘ୍ର ଏହି ରାସ୍ତାର ଓସାରୀକରଣ ହେବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଇତିମଧ୍ୟରେ ଦୀର୍ଘ ଏକ ବର୍ଷ ବିତିଲାଣି, ସେହି ରାସ୍ତା ଓସାରୀକରଣ ହେଉନାହିଁ କି ରାସ୍ତା ମରାମତି ହେଉନାହିଁ । ଯାହାଫଳରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଚାଲି କରି ଯିବା ସମୟରେ ଝୁଂଟିବା ସହ ଆହତ ହେଉଛନ୍ତି ।
ଅନ୍ୟପକ୍ଷରେ ଡ଼ିଜେଲ ଅଟୋ, ଇ -ଅଟୋ, ବାଇକ୍ ଓ ରିକ୍ସା ଯାତାୟାତ ଯୋଗୁ ରାସ୍ତା ସବୁବେଳେ ଜାମ୍ ରହୁଛି । ଏହା ସହ କିଛି ଖଜା ଓ ମିଠା ଦୋକାନୀ ରାସ୍ତା ଉପରେ ଟେବୁଲ ରଖି ପସରା ରଖୁଥିବାରୁ ରାସ୍ତା ସଂକୀର୍ଣ୍ଣ ହେଉଛି । ଗ୍ରାହକମାନେ ଦୋକାନରେ ଜିନିଷ କିଣିବା ସମୟରେ ବାଇକ୍ ଓ ସାଇକେଲ ଗୁଡ଼ିକ ରାସ୍ତାର ମଝିରେ ରଖୁଛନ୍ତି । ଯାହାଫଳରେ ଯାତ୍ରୀ ଯାତାୟାତରେ ଅସୁବିଧା ସୃଷ୍ଟି କରୁଛି । ପ୍ରତି ଅମାବାସ୍ୟା ଦିନ ଅମାବାସ୍ୟା ନାରାୟଣ ବିମାନ ଯୋଗେ ବାଲିସାହି ଦେଇ ସ୍ଵର୍ଗଦ୍ଵାର ନିକଟରେ ସାଗର ବିଜେ ନୀତି ଅନୁଷ୍ଠିତ ହେଉଛି । ବିମାନ ଯିବା ସମୟରେ ଗହଳି ହେଉଥିବାରୁ ଲୋକଙ୍କୁ ଆଡ଼େଇ ବିମାନ ନିଆଯାଉଛି । ଏହି ରାସ୍ତାକୁ ୬୦ ଫୁଟ କରିବା ସହ ମଝିରେ ଡ଼ିଭାଇଡ଼ର ଫିକ୍ସିଂ କରାଯାଇ ଆଲୋକୀକରଣ କରାଯିବା ପାଇଁ ପର୍ଯ୍ୟଟକ ମହଲରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
