ଭୁବନେଶ୍ୱର, 16 ଜାନୁଆରୀ (ହି.ସ.)- ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା ତାଙ୍କୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ରାଗରେ ସୁଙ୍କି ବିଶ୍ୱଜିତଙ୍କ ମୁଣ୍ଡକୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲେ । ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରାଯାଇଛି । ଅଭିଯୁକ୍ତ ସୁଙ୍କି ପୂର୍ବରୁ ହତ୍ୟା ମାମଲାରେ ଜେଲ ଯାଇଥିଲେ ।
ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଝାରସୁଗୁଡ଼ାର ସୁଙ୍କି ରଣା ୨୦୦୫ ମସିହାରେ ନିଜ ଯା’କୁ ହତ୍ୟା କରି ଜେଲ୍ ଯାଇଥିଲେ । ନିଜ ସ୍ୱାମୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସେ ନିଜ ଯା’କୁ ହତ୍ୟା କରି ଦେଇଥିଲେ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ୧୨ ବର୍ଷ ଜେଲ୍ ରେ ଥିଲେ । ଜେଲ୍ରୁ ମୁକୁଳିବା ପରେ ସେ ପୁରୀର ଏକ ଆଶ୍ରମରେ ରହୁଥିଲେ । ଉକ୍ତ ଆଶ୍ରମରେ ବିଶ୍ୱଜିତଙ୍କ ମା’ ବି ରହୁଥିଲେ । ବିଶ୍ୱଜିତ ସେଠାକୁ ଯିବା ଆସିବା କରୁଥିବା ବେଳେ ସୁଙ୍କିଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହାପରେ ଧୀରେ ଧୀରେ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା ।
ସୁଙ୍କି କ୍ରମଶଃ ବିଶ୍ୱଜିତଙ୍କ ଘରକୁ ଯିବା ସହ ସେଠାରେ ତାଙ୍କ କେୟାରଟେକର ହିସାବରେ ରହୁଥିଲେ । ମାତ୍ର ମଝିରେ ମଝିରେ ସୁଙ୍କି ଆଶ୍ରମ ଯିବାକୁ ଚାହୁଁଥିବା ବେଳେ ବିଶ୍ୱଜିତ ଏହାକୁ ବିରୋଧ କରୁଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେଉଥିଲା । ଗତ ୧୪ ତାରିଖ ଦ୍ୱିପ୍ରହରରେ ଉଭୟ ବାଲିଅନ୍ତାସ୍ଥିତ ଘରେ ଥିବା ବେଳେ ସେମାନଙ୍କ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ସୁଙ୍କି ଏକ କାଠ ଫାଳିଆରେ ବିଶ୍ୱଜିତ ମୁଣ୍ଡକୁ ବାରମ୍ବାର ପିଟିବାକୁ ଲାଗିଥିଲା । ବିଶ୍ୱଜିତ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ସେ ତଳେ ପଡ଼ି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୂ ଉଡ଼ି ଯାଇଥିଲା । ସନ୍ଧ୍ୟା ହୋଇଯିବା ପରେ ସୁଙ୍କି ସେଠାରୁ ଫେରାର ହୋଇ ପବ୍ଲିକ ଟ୍ରାନ୍ସପୋର୍ଟରେ ପୁରୀ ପଳାଇଥିଲା । କମିଶନରେଟ ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିବା ପରେ ପୁରୀରୁ ସୁଙ୍କିଙ୍କୁ ଗିରଫ କରିଛି । ହିତାହିତ ଜ୍ଞାନ ହରାଇ ବସି ସୁଙ୍କି ଏପରି ନିର୍ମମ କାଣ୍ଡ ଘଟାଇଥିବା ପୁଲିସ୍ ସମ୍ମୁଖରେ ସ୍ୱୀକାର କରିଛନ୍ତି ।
ପୁଲିସ୍ ତାଙ୍କୁ ସେଠାରୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡ ବେଳେ ସେ ପିନ୍ଧିଥିବା ବସ୍ତ୍ର ଓ ତାଙ୍କ ଫୋନ୍ ଜବତ କରିଛି । ଏଥିସହ ପୁଲିସ୍ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ବି ଜବତ କରି ଫରେନସିକ ଟେଷ୍ଟ ପାଇଁ ପଠାଇଛି । ଆବଶ୍ୟକ ପଡ଼ିଲେ ସୁଙ୍କିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ବିଶ୍ୱଜିତ ନାୟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
