

ବଲାଙ୍ଗିର, ୨୯ ଡିସେମ୍ବର (ହି.ସ.)- ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ର ହାଉସ୍ ସର୍ଜନଙ୍କୁ ମାଡ ଘଟଣାର ପ୍ରତିବାଦରେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇବା ସହ ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ର ଆନ୍ଦୋଳନ ଚଳାଇଛନ୍ତି । ସେମାନେ ମେଡିକାଲ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଆକ୍ରମଣକାରୀକୁ ଗିରଫ ଓ ତାଙ୍କ ବିରୋଧରେ ଏନଏସଏ ଲାଗୁ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ଉତେଜନା ପ୍ରକାଶ ପାଇବା ପରେ ମେଡିକାଲର ଓପିଡି ବନ୍ଦ ରହିଛି । ଫଳରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ଖବର ପାଇ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡି. ହୃଷିକେଶ ଖିଲାରୀ ଘଟଣାସ୍ଥଳରେ ପହଂଚି ଅଧ୍ୟକ୍ଷଙ୍କ ଚ୍ୟାମ୍ବରରେ ଆନ୍ଦୋଳନକାରୀ ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ରଙ୍କ ସହିତ ଆଲୋଚନା କରୁଛନ୍ତି । ଯଦି ଆଜି ସଂନ୍ଧ୍ୟା ସୁଦ୍ଧା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାନଯାଏ, ତେବେ ଆସନ୍ତାକାଲି ଠାରୁ ମେଡିକାଲର ସମସ୍ତ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ପ୍ରକାଶ ଥାଉକି, ଗତକାଲି ସଂନ୍ଧ୍ୟାରେ ହାଉସ୍ ସର୍ଜନ ଡାକ୍ତର ବିଶ୍ଵରଞ୍ଜନ ସାହୁ ଆଉଟ୍ ଡୋର ଡ୍ୟୁଟି ସାରି ମେଡିକାଲ କଲେଜକୁ ଫେରିବା ବେଳେ ଲାଲଟିକ୍ରା ନିକଟରେ ଦୁଇ ଜଣ ଦୁର୍ବୃତ ତାଙ୍କୁ ଅଟକାଇବା ସହ ନିସ୍ତୁକ ପିଟିଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ବଲାଙ୍ଗିର ମେଡିକାଲରେ ଭର୍ତି କରାଯାଇଥିଲା । ସମ୍ପ୍ରତି ସେ ସେଠାରେ ଚିକିତ୍ସାଧିନ ରହିଛନ୍ତି । ଅନ୍ୟପକ୍ଷରେ ଗତକାଲି ସଂନ୍ଧ୍ୟାରେ ଖବର ପାଇ ମେଡିକାଲ କଲେଜର ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ର ଛାତ୍ରୀ ହସ୍ପିଟାଲ ଗେଟ୍ ବନ୍ଦ କରିବା ସହ ଧାରଣାରେ ବସିଥିଲେ । ଏସପି ଓ ଜିଲ୍ଲାପାଳ ଗତକାଲି ରାତିରେ ଧାରଣା ସ୍ଥଳରେ ପହଂଚି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ବର୍ତମାନ ସୁଦ୍ଧା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିନଥିବା ବେଳେ ଏହାର ପ୍ରତିବାଦରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
