କେନ୍ଦୁଝର, ୨୩ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ସମାକୋଇ ନଦୀ ସମେତ ଅନ୍ୟାନ୍ୟ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ତେଲକୋଇ ଡାକବଙ୍ଗଳା ନିକଟସ୍ଥ ସମାକୋଇ ନଦୀର ପୋଲ ଉପରେ ୩ ଫୁଟ୍ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ଆଜି ଭୋର୍ ୪ଟା ଠାରୁ ତେଲକୋଇ-ଭୁବନେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ପୋଲ ଉପରେ ଯାନବାହନ ଚଳାଚଳ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାରଣ କରାଯାଉଛି । ଖବର ପାଇ ସ୍ଥାନୀୟ ତହସିଲଦାର ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଛନ୍ତି ଏବଂ ଲୋକଙ୍କୁ ଏନେଇ ସଚେତନ କରୁଛନ୍ତି । ଅନ୍ୟପକ୍ଷରେ ଜଳସ୍ତର ବୃଦ୍ଧି ପାଇ ସମାକୋଇ ନଦୀ ଫୁଲୁ ଥିବାରୁ ନଦୀ କୂଳିଆ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
