
ସମ୍ବଲପୁର, ୨୪ ଅଗଷ୍ଟ(ହି.ସ.) – ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ଲାଗି ହେବ ନୂତନ ସରିଆ ଧାନ। ଏଥିପାଇଁ ଆଜି ମା’ ସମଲେଇଙ୍କ ପୀଠରେ ପହଂଚିଛି ନୂଆଁ ସରିଆ ଧାନ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ପାଇଁ ନିକଟସ୍ଥ ବଲବସପୁର ଗ୍ରାମର ସୁବାଷ ବେହେରା ଓ ତାଙ୍କ ପରିବାର ନୂଆଖାଇ ପୂର୍ବରୁ ରବିବାର ସରିଆ ଧାନ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କୁ ପ୍ରଦାନ କରିଛନ୍ତି। ପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥିରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଯାଇଛି। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତୁଳା ଲଗ୍ନରେ ଅଗଷ୍ଟ ୨୮ ତାରିଖ(ଗୁରୁବାର) ପୂର୍ବାହ୍ଣ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମନ୍ତେ ଲଗ୍ନଧାର୍ଯ୍ୟ କରାଯାଇଛି। ରାଜା ରାଜୁଡ଼ା ଅମଳରୁ ଚାଲି ଆସିଥିବା ପରମ୍ପରା ଅନୁସାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶନିବାର ପଣ୍ଡିତମାନଙ୍କୁ ଲଗ୍ନ ନିର୍ଦ୍ଧାରଣ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜକ ସନ୍ତୋଷ ପଣ୍ଡା ଓ କୈଳାସ ପଣ୍ଡାଙ୍କ ପୂଜାର୍ଚ୍ଚନା ପରେ ପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା ଲଗ୍ନ ସ୍ଥିରୀକୃତ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ପୂଜାର୍ଚ୍ଚନା ପରେ ପଣ୍ଡିତ ମହେଶ୍ୱର ନାୟକ, ସୁଧାଂଶୁ ଶେଖର ପାଣିଗ୍ରାହୀ, ଅକ୍ଷୟ ପୁରୋହିତ, ବଂଶୀଧର ଶତପଥୀ, ଗିରିଜା ଶଙ୍କର ପଣ୍ଡା, ଝସକେତନ ହୋତା, ରବିନାରାୟଣ ପଣ୍ଡା, ସଚ୍ଚିଦାନନ୍ଦ ମିଶ୍ର, ପ୍ରଭାକର ତ୍ରିପାଠୀ, ଶଶାଙ୍କ ଶେଖର ମିଶ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ରାକେଶ ମିଶ୍ର, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ବୁଲୁ ପାଢ଼ୀ, ବିନୀତ ପାଣ୍ଡେ, ମନବୋଧ ପାଢ଼ୀ, ଉତମ ରଥ, ଜିତେନ୍ଦ୍ର ନନ୍ଦ, ଆଶୁତୋଷ ପାଣିଗ୍ରାହୀ ଓ ଗୋପୀନାଥ ପଣ୍ଡା ପ୍ରମୁଖ ପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା ଲଗ୍ନ ଧାର୍ଯ୍ୟ ହୋଇଥିଲା। ଏହି ଅବସରରେ ସମଲେଶ୍ୱରୀ ମନ୍ଦିରର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ, ସଦସ୍ୟ ପ୍ରଫୁଲ୍ଲ ହୋତା, ମୁଖ୍ୟ ପୂଜକ ଅମ୍ବିକା ରାୟ, ପୂଜକ ପ୍ରତାପ ରାୟ, କ୍ରିଷ୍ଣା ରାୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେନ୍ଦ୍ର/ବୀଣାପାଣି
…………………………………
ହିନ୍ଦୁସ୍ଥାନ ସମାଚାର / ଶୈଳେଶ
