ବଲାଙ୍ଗୀର, ୧୭ ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କୁଟାସିଂହା ପଂଚାୟତ କଣ୍ଟାପାଳି ଗାଁର ବଳିଷ୍ଠ ପଧାନ ଅଂଚଳର ଜଣେ ସଫଳ ପନିପରିବା ଚାଷୀ। ବର୍ଷ ତମାମ ସେ ଲଙ୍କା ଚାଷ ସମେତ ଅନ୍ୟାନ୍ୟ ମିଶ୍ରିତ ପରିବା ଚାଷ କରିଥାନ୍ତି। କିନ୍ତୁ ଲଙ୍କା ଚାଷକୁ ବେଶୀ ପ୍ରାଧାନ୍ୟ ଦେଇ ଆସୁଛନ୍ତି ଏହି ଲଙ୍କା ଥରେ ଲଗେଇଲେ ଛଅ ମାସରୁ ଅଧିକ ଦିନ ପର୍ଯନ୍ତ ଅମଳ ହୋଇଥାଏ। ଏହା ଏକ ଲାଭ ଜନକ ପରିବା ବୋଲି କୁହନ୍ତି ବଳିଷ୍ଠ, ଘରେ ଅନ୍ୟ ପରିବା ପତ୍ର ଥାଉ କି ନଥାଉ ଲଙ୍କା ଲୁଣ ଟିକେ ହେଇଗଲେ କାମ ଚଳିଯାଏ ବୋଲି ଲୋକେ ମଧ୍ୟ କହିଥାନ୍ତି | ପୂର୍ବରୁ ବଳିଷ୍ଠ ତିନି ଏକର ଜମିରେ ଧାନ ଚାଷ କରୁଥିଲେ ଏଥିରୁ କମ ଲାଭ ମିଳିବାରୁ ସେ ପନିପରିବା ଚାଷ କରିବାକୁ ମନସ୍ଥ କରି ପ୍ରଥମେ ୫୦୦ ମନ୍ଦା ଲଙ୍କା ଗଛ ଲଗେଇ ଥିଲେ। ଏଥିରେ ବେଶ ସଫଳତା ମଧ୍ୟ ପାଇଲେ। ସେହି ଦିନଠାରୁ ୩୦ ବର୍ଷ ହେଲା ଏହି ଲଙ୍କା ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ଚଳିତ ବର୍ଷ ସେ ଏକ ଏକର ଜମିରେ ଲଙ୍କା ଲଗେଇ ଥିବାବେଳେ ଅବଶିଷ୍ଟ ଆଉ ଅଧ ଏକର ଜମିରେ ମିଶ୍ରିତ ପନିପରିବା କରିଛନ୍ତି। ପତ୍ନୀ ଓ ଚାରି ପୁଅ ବଳିଷ୍ଠଙ୍କୁ ବେଶ ସହାୟତା କରୁଛନ୍ତି। ଏବେ ଲଙ୍କା ଚାଷରେ ଟିକିଏ ପରିବର୍ତନ କରିଛନ୍ତି ଆରମର, କ୍ରିଷ୍ଣା, ଲାଲଚୀହଟ ଭଳି ଉନ୍ନତ ମାନର କିସମକୁ ବାଛିଛନ୍ତି। ଯାହାକି ବର୍ଷ ସାରା ଅମଳ ଦେଉଥିବାରୁ ଲକ୍ଷାଧିକ ଟଙ୍କା ରୋଜଗାର ହୋଇଥାଏ। ଆଗରୁ ତେଣ୍ଡା ସାହାଯ୍ୟରେ ପାଣି ମଡାଉ ଥିଲେ। ତାପରେ କୂଅ ଖୋଳି କିରୋସିନି ପମ୍ପ ଯୋଗେ ଦେଉଥିଲେ। ଏବେ ସରକାରଙ୍କ ଉଠା ଜଳସେଚନ ବିଭାଗ ସହାୟତାରେ ଏକ ଗଭୀର ନଳକୂପ ଖନନ କରିଛନ୍ତି। ଚଳିତ ବର୍ଷ ସେ ତିନି ଲକ୍ଷରୁ ଅଧିକ ଟଙ୍କା ବିକ୍ରି କରିବେ ବୋଲି କହିଛନ୍ତି ବଳିଷ୍ଠ | ପ୍ରତିଦିନ ଲଙ୍କା ତୋଳି ବଜାରକୁ ବିକ୍ରି କରିବାକୁ ନେଇଥାନ୍ତି ତାଙ୍କ ବଡପୁଅ ଅନନ୍ତ ପଧାନ ସପ୍ତାହର ସମସ୍ତ ବଜାର ତଥା ଲଛିପୁର, ନାରାୟଣ ପୁର, କୁଟାସିଂହା, ବିନିକା, ଗାଦି ଖଲିଆପାଲି, ଭଳିଆମୁଣ୍ଡା, ପଟୁଆପାଲିରେ ସବୁ ଲଙ୍କା ବିକ୍ରି ହୋଇଯାଏ। ଗାଁର ୩୦ଟି ପରିବାର ଲଙ୍କା ଚାଷ କରି ସ୍ଵାବଳମ୍ବି ହୋଇ ପାରିଛନ୍ତି। ଲଙ୍କା ଚାଷ କରି ବଳିଷ୍ଠଙ୍କ ପରିବାର ଗ୍ରାମ ତଥା ଅଂଚଳରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।
ବଳିଷ୍ଠ କହିଛନ୍ତି ଯେ, ଆଗରୁ ଧାନ ଚାଷ କରୁଥିଲି ସେଥିରୁ କମ ଲାଭ ମିଳୁଥିଲା ପରିବାର ଚଳେଇବା କଷ୍ଟ ହେଉଥିଲା। ତାପରେ ଲଙ୍କା ଚାଷ ଆରମ୍ଭ କଲି ବର୍ଷ ସାରା ଏହାର ଚାହିଦା ରହିବାରୁ ପ୍ରଚୁର ଲାଭବାନ ହେଲି, ଏବେ ଲଙ୍କା ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି। ଦୁଇଟି ପୁଅ ଓ ଗୋଟିଏ ଝିଅକୁ ବାହା କରି ସାରିଛି। ଗୋଟିଏ ଟ୍ରାକ୍ଟର ମଧ୍ୟ କିଣିଛି। ପୂର୍ବ ଭଳି ଆଉ କଷ୍ଟ କରିବାକୁ ପଡ଼ୁ ନାହଁ। ଗ୍ରୀଷ୍ମ ମାସରୁ ପଲିଥିନ ସାହାଯ୍ୟରେ ଚାରା ପକାଉଛି, ପନ୍ଦର ଦିନ ପରେ ବିଲରେ ଲଗାଯାଏ ଗଛର ଚେର ଟିକେ ମାଟି ଭିତରକୁ ଗଲେ କୋଡା କୋଷା କରି ହିଡ଼ କରାଯାଏ ୪୫ ଦିନରେ ଫୁଲ ଫଳ ଆସେ। ଏବେ ନୂତନ ଜ୍ଞାନ କୌଶଳରେ ଚାରା ଉତ୍ପାଦନ ଯତ୍ନ, ଜଳସେଚନ, କୀଟ ନାଶକ ସିଞ୍ଚନ ବ୍ୟବସ୍ଥା ହୋଇଥିବାରୁ ବେଶ ଖୁସି ଲାଗୁଛି। କୃଷି ବିଭାଗ କି ଉଦ୍ୟାନ ବିଭାଗ ପକ୍ଷରୁ ଯଦି କିଛି ପ୍ରୋହସନ ମିଳିପାରନ୍ତା ଆହୁରି ସୁଫଳ ପାଆନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
