
ଚମ୍ପୁଆ, କେନ୍ଦ୍ର ଆଦିବାସୀ ବ୍ୟାପାର ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା କେନ୍ଦୁଝର ଜିଲ୍ଲା, ଚମ୍ପୁଆ ବ୍ଲକ୍ ରଙ୍ଗାମାଟିଆ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେରେ ଯୋଗ ଦେଇ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଗରିବ କଲ୍ୟାଣ ତଥା ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ସମ୍ପର୍କରେ ଅବଗତ କରାଇବା ସହିତ ଏସବୁ ଯୋଜନା ଗୁଡ଼ିକର କିପରି ଲାଭ ପାଇପାରିବେ ସେ ନେଇ ଅବଗତ କରାଇଥିଲେ । ବାଙ୍କିଆ ସରକାରୀ ବିଦ୍ୟାଳୟ ନିକଟ ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷା ମିଶାଇ ଉଦବୋଧନ ଦେଇଥିଲେ । ଶ୍ରୀ ମୁଣ୍ଡା କହିଥିଲେ, ଦେଶର ଅଧିକାଂଶ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ତଥା ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ପହଞ୍ଚି ପାରୁଛି । ହିତାଧିକାରୀମାନେ ଯେଉଁସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କର ପଞ୍ଜୀକରଣ କରାଯାଉଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ମୋଦୀଙ୍କ ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ସମସ୍ତ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ବିଶେଷ ଭୂମିକା ରହିଥିବା ସେ କହିଥିଲେ । ପିଏମ୍ ଉଜ୍ଜଳା, ସ୍ଵଚ୍ଛ ଭାରତ, ଡାକ ଘର ଜୀବନ ଜ୍ୟୋତି ବୀମା, ଜନ ଧନ ଯୋଜନା, କୃଷକ ନିଧି ସମ୍ମାନ, ଆଦିବାସୀ କଲ୍ୟାଣ ଯୋଜନା, ବିଶ୍ୱକର୍ମା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଆଦିରେ କୋଟି କୋଟି ହିତାଧିକାରୀ ଉପକୃତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି ବା ଯାତ୍ରା ସଚେତନତା ରଥରେ ଲାଗିଥିବା ଏଲଇଡି ସ୍କ୍ରିନ୍ ଜରିଆରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।/ସମନ୍ୱୟ
