ଅଯୋଧ୍ୟା, 22 ଜାନୁଆରୀ (ହି.ସ.) କାଶ୍ମୀରର ବରଫାବୃତ ଗିରିଶୃଙ୍ଗରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ ବେଳାଭୂମି ପର୍ଯ୍ୟନ୍ତ ସବୁଠି ରାମନାମ ପ୍ରତିଧ୍ୱନିତ ହେଉଛି । ସମଗ୍ର ଭାରତ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଆବରଣରେ ଆଚ୍ଛାଦିତ ହୋଇଛି । ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ ଏକତାର ଏକ ପ୍ରତୀକ ଭାବେ ଦଣ୍ଡାୟମାନ । ଏହା କେବଳ ଭବ୍ୟତା ଓ ସୁନ୍ଦରତାକୁ ପ୍ରଦର୍ଶନ କରୁନାହିଁ, ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ ସୀମାପାର ଅଞ୍ଚଳର ଅବଦାନର କାହାଣୀ ସଗର୍ବେ ସ୍ଥାନିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରୟାସର ଝଲକ ଏଥିରେ ଦେଖିବାକୁ ମିଳୁଛି । ଏକ ମନ୍ଦିର ନିର୍ମାଣ ଓ ତୀର୍ଥାଟନ ପ୍ରୟାସରେ ସମଗ୍ର ଦେଶ କିପରି ଭକ୍ତି, ଭାବ, ତ୍ୟାଗ ସମର୍ପଣ ଓ ସହଯୋଗ ଯୋଗାଇଛି ତାହାର ବାର୍ତ୍ତା ଅଯୋଧ୍ୟା ମନ୍ଦିରରେ ଗୁଞ୍ଜରିତ ହେଉଛି ।
ମନ୍ଦିରର ଆଭ୍ୟନ୍ତରୀଣ ନିର୍ମାଣ ଶୈଳୀ ଓ ପରିପାଟୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହା ରାଜସ୍ଥାନର ପ୍ରଖ୍ୟାତ ମକ୍ରାନା ଶଙ୍ଖ ମର୍ମର ପ୍ରସ୍ତରରେ ନିର୍ମିତ ହୋଇ ଏକ ଅପରୂପ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରୁଛି । ମନ୍ଦିରରେ ଯେଉଁ ସବୁ ଦେବଦେବୀ ଓ ପ୍ରତିମା ଖୋଦିତ ହୋଇଛନ୍ତି ସେସବୁ କର୍ଣ୍ଣାଟକର ଚାର୍ମୋତି ବାଲି ପଥର(ସ୍ୟାଣ୍ଡ ଷ୍ଟୋନ)ରେ ନିର୍ମିତ । ରାଜସ୍ଥାନର ବଂଶୀ ପାହାଡପୁରୁରୁ ଆସିଥିବା ଗୋଲାପି ବାଲି ପଥର (ପିଙ୍କ୍ ସାଣ୍ଡ ଷ୍ଟୋନ) ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରର ନିର୍ମାଣରେ ବ୍ୟବହୃତ ହୋଇଛି ।
ଏହି ଅବଦାନ କେବଳ ନିର୍ମାଣ ସମାଗ୍ରୀରେ ସୀମିତ ହୋଇନାହିଁ । ଗୁଜରାଟରୁ ଆସିଛି ୨୧୦୦କେଜି ଓଜନର ଏକ ପ୍ରକାଣ୍ଡ ଅଷ୍ଟଧାତୁ ନିର୍ମିତ ଘଣ୍ଟି । ଏହି ଘଣ୍ଟି ମନ୍ଦିରରେ ଐଶ୍ୱରୀୟ ସଙ୍ଗୀତର ରାଗ ତୋଳିବ । ଏହି ପ୍ରକାଣ୍ଡ ଘଣ୍ଟି ସହିତ ଗୁଜରାଟ ମଧ୍ୟ ଅଯୋଧ୍ୟ ଶ୍ରୀରାମ ମନ୍ଦିରକୁ ୭୦୦ କେଜିର ଏକ ଆକର୍ଷଣୀୟ ରଥ ପ୍ରଦାନ କରିଛି । ସର୍ବଭାରତୀୟ ଦରବାର ସମାଜ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ନଗାଡା ଶୈଳୀରେ ଖୋଦିତ ପଥର ରଥ ନିର୍ମାଣ କରାଯାଇଛି । ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ କୃଷ୍ଣ ପଥରରେ ତିଆରି ହୋଇଛି ଏବଂ ଏହି ପଥର ଆସିଛି କର୍ଣ୍ଣାଟକରୁ । ଅରୁଣାଚଳ ପ୍ରଦେଶର ହିମାଳୟ ପାଦଦେଶ ଓ ତ୍ରିପୁରାରୁ ସଂଗୃହୀତ ମୂଲ୍ୟବାନ କାଠାରୁ ତିଆରି ହୋଇଛି ମନ୍ଦିରର ଦ୍ୱାର । ଏହା ସହିତ ରହିଛି ହସ୍ତତନ୍ତ ନିର୍ମିତ ସୁନ୍ଦର ରଙ୍ଗୀନ ବସ୍ତ୍ର ଯାହା ପ୍ରବେଶ ପଥରେ ଲାଗିବ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
