




ବଲାଙ୍ଗିର, ୨୩ ଜାନୁଆରୀ (ହି.ସ.)- ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥର ଚେପାକୁ ବିଜୟ କୁମାର ସାହୁ ଜିଲ୍ଲା ସଂଯୋଜକ ବିଶୁଦ୍ଧ ପିଇବା ପାଣି ପରିମଳ ଏବଂ ଅଭିଷେକ ମନି ୟୁନିସେଫ ଆନ୍ତର୍ଜାତୀୟ ୟୁବ ଯୋଗାଯୋଗ ଅଧିକାରୀ ପ୍ରମୁଖ ଜଳବାୟୁ ପରିବର୍ତ୍ତନ ଓ ବିଶ୍ଵ ଭୂ ତାପନ ଉପରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ନେଇ ଶୁକ୍ରବାର ଆସିଥିଲେ। ଅଭିଷେକ ମନି ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ପ୍ରାୟ ଦଶଟି ଦେଶରେ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ସାରିଛନ୍ତି । ନିକଟ ଅତୀତରେ ଦୁବାଇ ଠାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ସେଠାରେ ଭାରତର ପ୍ରତିନିଧିତ୍ବ କରି ଭାଷଣ ଦେଇଥିଲେ । ଆହୁରି ମଧ୍ୟ ଶ୍ରୀ ମନି ନିଜ ହାଇସ୍କୁଲ ସମୟରୁ ଏଇ ଜଳବାୟୁ ପରିବର୍ତ୍ତନ ଉପରେ ସଚେତନ କରି ଆସୁଛନ୍ତି । ପ୍ରଥମେ ସେମାନେ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ସହ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ସେଠାରେ ଛାତ୍ର ଛାତ୍ରୀଙ୍କ ସହ ବାର୍ତ୍ତାଳାପ ଏବଂ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ କଣ ? ଓ ତାହା ଶିକ୍ଷା କୃଷି ଓ ଅର୍ଥନୀତି ଉପରେ କିଭଳି ପ୍ରଭାବ ପକାଉଛି ଏବଂ ଆମେ କିଭଳି ଭାବରେ ନିଜର ଛୋଟ ଛୋଟ ଉଦ୍ୟମରେ ବା ନିଜର ବ୍ଯବହାରରେ ପରିବର୍ତ୍ତନ ଆଣି ଏହି ବିଶ୍ଵ ଭୂ-ତାପନ ବା ଜଳବାୟୁ ପରିବର୍ତ୍ତନ କୁ ରୋକି ପାରିବା ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ବିଜୟ କୁମାର ସାହୁ ଦୁନିଆରେ ପରିବର୍ତ୍ତନ ଆଣିବା ଆଗରୁ ନିଜ ମଧ୍ୟରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଇଥିଲେ । ଶ୍ରୀ ଅଭିଷେକ ମନି ମଧ୍ୟ ଛୋଟ ବେଳରୁ ପରିବେଶ ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ନିଜର ମତବ୍ୟକ୍ତ କରିଥିଲେ। ପରେ ନବମ ଓ ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ ନେଇ ସ୍ମାର୍ଟ କ୍ଲାସ ରେ ଭିଡିଓ ଆନିମେସନ୍ ମାଧ୍ୟମରେ ଗ୍ଲୋବାଲ ୱର୍ମିଂ କୁ ନେଇ ଏକ କାର୍ଯ୍ୟକ୍ରମ ହୋଇଥିଲା ।ସେଠାରେ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଜଳବାୟୁ ପରିବର୍ତ୍ତନ ଉପରେ ଏକ କବିତା ଆବୃତ୍ତି କରିଥିଲେ । ଶେଷରେ ଅଧ୍ୟକ୍ଷ ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମରୁ ଶିଖିଥିବା ବିଭିନ୍ନ ତଥ୍ଯକୁ ନିଜ ଜୀବନରେ ଉପଯୋଗ କରିବାକୁ ଉପଦେଶ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
