ଗଞ୍ଜାମ, ୨୩ ଅକ୍ଟୋବର (ହି.ସ.)- ବ୍ରହ୍ମପୁରର ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ଜଡ଼ିତ ଆଉ ଜଣେ ଅଭିଯୁକ୍ତ ସୁଦର୍ଶନ ଜେନା ଆଜି ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛି । ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡାଙ୍କ ମୁଖ୍ୟ ସହଯୋଗୀ ଥିଲେ ସୁଦର୍ଶନ । ମାମଲାରେ ଜଡ଼ିତ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣ ଫେରାର୍ ଥିବା ନେଇ ଗତକାଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମ ସୂଚନା ଦେଇଥିଲେ । ତେବେ ଆଜି ଅଭିଯୁକ୍ତ ସୁଦର୍ଶନ ଥାନାରେ ଆତ୍ମସମର୍ପଣ କରିବା ପରେ ମାମଲାରେ ଗିରଫ ସଂଖ୍ୟା ୧୩ ରେ ପହଂଚିଛି । ଅନ୍ୟ ୨ ଜଣ ଅଭିଯୁକ୍ତ ବର୍ତମାନ ସୁଦ୍ଧା ଫେରାର୍ ଅଛନ୍ତି ।
ପ୍ରକାଶ ଥାଉକି, ଗତ ୬ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆଇନଜୀବୀ ପୀତବାସଙ୍କୁ ଅତି ନିକଟରୁ ୨ ରାଉଣ୍ଡ ଗୁଳି କରି ଦୁର୍ବୃତ ଫେରାର୍ ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
