















ମାଲକାନଗିରି, ୧୧ ଜାନୁଆରୀ (ହି.ସ.)- ପାରମ୍ପରିକ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇବା ସହ କଳାକାରଙ୍କୁ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ଵାରୋପ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଗାମୀ ଦିନରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକ କଳାର ପ୍ରୟୋଗ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥି ନିମନ୍ତେ ଆଜି ଜିଲ୍ଲା ସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ଵାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡିପିଏମଓ ସସ୍ମିତା ସାହୁ, ଜିଲ୍ଲା ସାଧନ ସଦସ୍ୟ ଗୁପ୍ତେଶ୍ଵର ପାଣିଗ୍ରାହୀ, ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଘେନୁ ମୁଦୁଲି ଓ ବିନାଶ ମିଶ୍ର ଉପସ୍ଥିତ ଥିଲେ। ପାରମ୍ପରିକ ଲୋକକଳାର ମୌଳିକତାକୁ ନହରାଇ ନିଜ ଅଞ୍ଚଳର ଲୋକ କଳାକୁ ପ୍ରୟୋଗ କରି ଯୋଜନା ଗୁଡିକୁ ପ୍ରଚାର କରିବା ପାଇଁ ଏଠାରେ ଗୁରୁତ୍ଵାରୋପ କରାଯାଇଥିଲା।
ଆଇଇସି କାର୍ଯ୍ୟକ୍ରମ ନେଇ ଜିଲ୍ଲାସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସେମାନଙ୍କର ବିଭାଗର ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ପରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଆୟୋଜନ କରାଯିବ । ଆଜିର ଶିବିରରେ ଡିପିଏମ ମିଶନ ଶକ୍ତି ନିରଞ୍ଜନ ଦୋରା, ସାତଟି ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଓ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତିଙ୍କ ସହ ବ୍ଳକର ବରିଷ୍ଠ କଳାକାର ମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ/ବନ୍ଦନା
