ମାଲକାନଗିରି, ୨୩ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା ବାହାର ଲୋକଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଥିବା ବେଳେ ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଅବସ୍ଥା କିନ୍ତୁ ବିପର୍ଯ୍ୟସ୍ତ । ଯନ୍ତ୍ରଣାରେ ଜର୍ଜରିତ ପାହାଡ଼ି ଗ୍ରାମଗୁଡିକରେ ବାସ କରୁଥିବା ଅଧିବାସୀମାନଙ୍କ ଜୀବନରେ ହସ ଫୁଟିବ କେବେ । ନିର୍ବାଚନ ଆସେ ଓ ଯାଏ । ଲୋକଙ୍କୁ ପ୍ରତିଶ୍ରୁତି ଦେଇ ନେତା ଓ ମନ୍ତ୍ରୀ ଚାଲିଯାନ୍ତି । ପ୍ରତିଶ୍ରୁତି କେବଳ ପାଣିର ଗାର ପାଲଟି ଯାଏ ।
ଆଜି ବି ଏଠାକାର ଲୋକେ ମୌଳିକ ସୁବିଧା ପାଇଁ ଆନ୍ଦୋଳନ କରିବାକୁ ପଛାଉ ନାହାନ୍ତି । କିନ୍ତୁ, ମିଳୁଛି କ’ଣ । କେବଳ ପ୍ରତିଶ୍ରୁତି । ଯଦି ଦେଖିବା ଜିଲ୍ଲାର ଖଇରପୁଟ ବ୍ଲକର ରାସବେଡା ପଂଚାୟତର ତାଗବେଡା, ବଣ୍ଡାଘାଟିର ବନ୍ଧଗୁଡ଼ା, କିର୍ସାନିପଡା ଭଳି ବହୁ ଗ୍ରାମ ପାହାଡ଼ି ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ପାଦ ଏହି ଗାଁ ମାନଙ୍କରେ କେବେ ପଡି ନାହିଁ । ଦୁଇ ଆଦିମ ଜନଜାତି ବଣ୍ଡା ଓ ଡିଡାୟୀ ଦଶନ୍ଧି ଦଶନ୍ଧି ଧରି ନିଜର ଭାଗ୍ୟକୁ ଆଦରି ଏହି ପାହାଡ଼ି ଗାଁମାନଙ୍କରେ ପାହାଡ଼ ଉପରେ ନିର୍ଭର କରି ଜୀବନ ବିତାଉଛନ୍ତି । ପାହାଡ଼ିଆ ରାସ୍ତାରେ ଚାଲିବାରେ ସେମାନେ ଅଭ୍ୟସ୍ତ ହୋଇଗଲେଣି । ପାଣି ପାଇଁ ବର୍ଷ ତମାମ ପାହାଡ଼ିଆ ଝରଣା ଏବଂ ଚୁଆ ଉପରେ ହିଁ ନିର୍ଭର କରନ୍ତି । ବହୁ ସମୟରେ ପାଣି ପାଇଁ ମାଇଲ ମାଇଲ ବାଟ ମଧ୍ୟ ଚାଲିବାକୁ ପଡ଼େ । ରାସ୍ତା ନଥିବାରୁ ଗାଁକୁ ନା ଆମ୍ବୁଲାନ୍ସ ଆସୁଛି ନା କୌଣସି ସରକାରୀ ବାବୁଙ୍କ ପାଦ ପଡୁଛି । ରୋଗୀ ଓ ଗର୍ଭବତୀ ତଥା ପ୍ରସୂତୀଙ୍କୁ କାଉଡି କରି କିମ୍ବା ଖଟିଆରେ ମେଡିକାଲ ନେବାକୁ ପଡିଥାଏ । ଅଜଣା ରୋଗର ଶିକାର ହୋଇ ଅକାଳରେ ବହୁ ଲୋକଙ୍କ ଜୀବନ ଯାଏ । ଏହାର ହିସାବ ନା ସ୍ୱାସ୍ଥ୍ୟ ବିଭାଗ ପାଖରେ ନା ପ୍ରଶାସନ ପାଖରେ ରହିଛି ।
୨୦୧୬ରେ ଜାପାନୀ ଜ୍ୱରରେ ଏହି ଅଂଚଳର ବହୁ ପିଲାଙ୍କ ଜୀବନ ଚାଲିଯାଇଛି । କେବଳ ଉଚିତ୍ ଚିକିତ୍ସା ଅଭାବରୁ । ଭୋଟ୍ ମାଗିବା ପାଇଁ ନେତାମାନେ ଚାଲି ଚାଲି କିନ୍ତୁ ପାହାଡ଼ି ରାସ୍ତା ଅତିକ୍ରମ କରି ଗାଁରେ ପହଂଚି ଲୋକଙ୍କୁ ଆଶ୍ୱାସନା ଦେଇ ଭୋଟ୍ ନିଅନ୍ତି । କିନ୍ତୁ, ପରମୁହୁର୍ତରେ ତାକୁ ଭୁଲିଯାନ୍ତି ବୋଲି ଗ୍ରାମବାସୀ କହନ୍ତି । ଖଇରପୁଟ ବ୍ଲକରେ ମୁଦୁଲିପଡା, ଅଣ୍ଡ୍ରାହାଲ, ରାସବେଡା ଗୋବିନ୍ଦପାଲୀ, ପୋଡାଘାଟ, ବଡ଼ଡୁରାଲ ଭଳି ପଂଚାୟତର ବହୁ ଗ୍ରାମ ଆଜି ବି ପାହାଡ଼ ଉପରେ ରହିଛି । ପାହାଡ଼ ଉପରେ ବସବାସ କରୁଥିବା ଲୋକଙ୍କ ଚିତ୍କାର କେବଳ ପଥରରେ ପିଟି ହୋଇ ସେଠାରେ ହିଁ ରହିଯାଉଛି । ଅନେକ ପାହାଡ଼ିଆ ଗ୍ରାମରେ ଆଜି ବି ସ୍କୁଲ ଓ ଅଙ୍ଗନବାଡ଼ି ନାହିଁ । ବହୁ ପିଲା ଅପପୁଷ୍ଟିର ଶିକାର ହେଉଛନ୍ତି । ସରକାର ଚେତିଲେ ପାହାଡ଼ିଆଙ୍କ ଭାଗ୍ୟ ବଦଳିବ ବୋଲି କୁହାଯାଉଛି । ତେବେ ସରକାର କେବେ ଚେତୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
