
ଘଟଗାଁ, ୧ ଡିସେମ୍ବର (ହି.ସ.)- ତାରିଣୀ ଦର୍ଶନ ପାଇଁ ଯାଉଥିଲେ, ହେଲେ ତା ପୂର୍ବରୁ ବାଟରେ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ୮ ଜଣ ଗୁରୁତର ଅବସ୍ଥାରେ ଘଟଗାଁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ୨୦ ନମ୍ବର ଜାତୀୟ ରାଜପଥର ବାଲିଯୋଡ଼ି ଗ୍ରାମ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳ ପୋଡ଼ାମାରି ଗ୍ରାମର ଦୁଇ ପରିବାରର ୨୦ ଜଣ ତାରିଣୀ ଦର୍ଶନ କରିବା ପାଇଁ ଏକ ଭ୍ୟାନ୍ ଯୋଗେ ଆସୁଥିବା ବେଳେ ଶୁକ୍ରବାର ଭୋର୍ ସମୟରେ ଗାଡିଟି ଭାରସାମ୍ୟ ହରାଇ କେନ୍ଦୁଝର ଜିଲା ବାଲିଯୋଡ଼ି ନିକଟରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୮ ଜଣଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୁର୍ଘଟଣାର କାରଣ ଠିକ୍ ଭାବରେ ଜଣାପଡ଼ିନଥିବା ବେଳେ ଭ୍ୟାନ ଚାଳକର ଆଖି ଲାଗିଯାଇଥିବା ସନ୍ଦେହ ପ୍ରକାଶ ପାଉଛି । ଘଟଣା ଘଟିବା ପରେ ଚାଳକ ସେଠାରୁ ଫେରାର୍ ହୋଇଯାଇଥିବା ଜଣାପଡିଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ମୃତକଙ୍କ ଶବ ଜବତ କରି ମେଡିକାଲକୁ ପଠାଯାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ପ୍ରଦୀପ୍ତ/ସମନ୍ୱୟ
