ପାଟଣା, 26 ଅକ୍ଟୋବର (ହି.ସ.)- ଲୋକ ଆସ୍ଥାର
ମହାପର୍ବ ଛଠ ପୂଜାର ଦ୍ୱିତୀୟ ଦିନ ‘ଖରନା’ ଆଜି ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଭକ୍ତି ସହ ପାଳନ କରାଯାଉଛି। ଛଠ ବ୍ରତର
ଚାରି ଦିନିଆ ଅନୁଷ୍ଠାନ ମଧ୍ୟରେ ଖରନାର ବିଶେଷ ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଅଛି। ‘ନହାଅଁ-ଖାଅଁ’ ପରେ ଏହା ଦ୍ୱିତୀୟ ଦିନ ହେଉଛି ଯାହା ବ୍ରତୀମାନଙ୍କ ପାଇଁ ଅତ୍ୟନ୍ତ
କଠିନ ତପସ୍ୟାର ପ୍ରତୀକ, କାରଣ ଏହି ଦିନେ ବ୍ରତୀମାନେ ନିର୍ଜଳ ଉପବାସ ରଖନ୍ତି ଓ ସୂର୍ଯ୍ୟାସ୍ତ ପରେ ପୂଜା ଅର୍ଚ୍ଚନା
କରି ପ୍ରସାଦ ଗ୍ରହଣ କରନ୍ତି।
ସକାଳୁ ବ୍ରତୀ ମହିଳାମାନେ
ଘର ସଫା-ସୁଫା କରି ପୂଜାର ପ୍ରସ୍ତୁତିରେ ବ୍ୟସ୍ତ ରହନ୍ତି। ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ
ବିଧି-ବିଧାନ ସହିତ ଖରନା ପୂଜା କରାଯାଏ। ବ୍ରତୀମାନେ ଗୁଡ଼, ଦୁଧ ଓ ଚାଉଳରୁ ଖିର, ଗହମର ରୋଟି ଏବଂ କଦଳୀ ପ୍ରସାଦ ପ୍ରସ୍ତୁତ କରନ୍ତି। ଏହି ପ୍ରସାଦକୁ
ମାଟି କିମ୍ବା କଂସାର ପାତ୍ରରେ ରଖି ସୂର୍ଯ୍ୟଦେବ ଓ ଛଠି ମାଆଙ୍କୁ ଅର୍ପଣ କରାଯାଏ। ପୂଜା ଶେଷରେ
ବ୍ରତୀମାନେ ପ୍ରସାଦ ଗ୍ରହଣ କରି ଉପବାସ ଭଙ୍ଗ କରନ୍ତି, ଏବଂ ପରେ ଏହି ପ୍ରସାଦକୁ ପରିବାର ସଦସ୍ୟ ଓ ପଡ଼ୋଶୀମାନଙ୍କ ମଧ୍ୟରେ
ବଣ୍ଟନ କରନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
