
ଅଯୋଧ୍ୟାଧାମ, 23 ଜାନୁଆରୀ (ହି.ସ.) ଅଯୋଧ୍ୟାଧାମରେ ଶ୍ରୀରାମଲଲାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଜମିଛି । ରାମଲଲାଙ୍କ ଦର୍ଶନ ଆରମ୍ଭ ହୋଇଛି । ଆଜି ସନ୍ଧ୍ୟାରେ କେଟାମରିନ ବୋଟ ୱାଟର ମେଟ୍ରୋ ବି ଏଠାରେ ପହଞ୍ଚିବାର ସମ୍ଭାବନା ରହିଛି । ପ୍ରଭୁ ଶ୍ରୀରାମଙ୍କ ନଗରୀର ଚାରିଆଡେ କେସରିଆ ଧ୍ୱଜ ଲହରୁଛି । ସରଯୁ ନଦୀତଟରେ ଶ୍ରୀରାମଙ୍କ ଉଦଘୋଷ ଶୁଣିବାକୁ ମିଳୁଛି ।
ପ୍ରାୟ 5ଶହ ବର୍ଷର ଅପେକ୍ଷା ପରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ଶ୍ରୀରାମ ଜନ୍ମଭୂମିରେ ସୋମବାର ଦ୍ୱିପ୍ରହର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ହୋଇଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ପ୍ରଥମ ସକାଳ ମଙ୍ଗଳବାର ଶ୍ରୀରାମ ଜନ୍ମଭୂମିରେ ପାଦ ରଖିବାକୁ ଜାଗା ନାହିଁ । ଏଭଳି ଲାଗୁଛି ଯେପରି ଆସ୍ଥା ଓ ବିଶ୍ୱାସର ସଙ୍ଗମ ହୋଇଛି । ଶ୍ରୀରାମଲଲାଙ୍କ ଦର୍ଶନ କରିବା ପାଇଁ ଭକ୍ତମାନେ ଏଠାରେ ଭୋର ତିନିଟାରୁ ଲାଇନରେ ଠିଆ ହୋଇଥିଲେ । ସକାଳ 7ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ପ୍ରଥମ ପାଳିରେ ପୂର୍ବାହ୍ନ 11.30ଯାଏ ଦର୍ଶନ ଚାଲିବ । ଏହାପରେ ଦ୍ୱିତୀୟ ପାଳିରେ ଦ୍ୱିପ୍ରହର 2ଟାରୁ ସନ୍ଧ୍ୟା 6.30 ଯାଏ ଦର୍ଶନ ଚାଲିବ । ଭକ୍ତଙ୍କ ସଂଖ୍ୟା ବଢିବା ପରେ ଦର୍ଶନ ଅବଧିକୁ ବୃଦ୍ଧି କରାଯାଇପାରେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
