ଅହମଦାବାଦ, 17 ନଭେମ୍ବର : ନଭେମ୍ବର 19ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇସିସି କ୍ରିକେଟ ୱାର୍ଲ୍ଡକପର ଫାଇନାଲ ମ୍ୟାଚ । ଏହାକୁ ଦେଖିବାକୁ ଦେଶ-ବିଦେଶରୁ ଭିଭିଆଇପିଙ୍କ ସମେତ ସେଲିବ୍ରିଟି ଆସିବେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲା ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହ ଆସିବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଶହେରୁ ଅଧିକ ଚାର୍ଟର ପ୍ଲେନ ଅହମଦାବାଦ ଏୟାରପୋର୍ଟ ଓ ଏହାର ଆଖପାଖ ଏୟାରପୋର୍ଟରେ ଅବତରଣ କରିବେ ।
ଅହମଦାବାଦରେ 30ରୁ 40 ଚାର୍ଟର ପ୍ଲେନ ପାର୍କିଂ ହେବାର ବ୍ୟବସ୍ଥା ରହିଛି । ଅହମଦାବାଦ ସମେତ ଏହାର ଆଖପାଖ ଏୟାରପୋର୍ଟରେ ମଧ୍ୟ ଏହି ଚାର୍ଟର ପ୍ଲେନ ଅବତରଣ କରିପାରେ । ପ୍ରଶାସନ ପକ୍ଷରୁ ଜୋରସୋରରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅହମଦାବାଦ ସମେତ, ସୁରଟ, ରାଜକୋଟ ଓ ବଡୋଦରାରେ ପ୍ଲେନ ପାର୍କ କରିବାର ବ୍ୟବସ୍ଥା କରାଯାଉଛି ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ଅହମଦାବାଦରେ ହେବାକୁ ଥିବା ମ୍ୟାଚ ଦେଖିବା ପାଇଁ ଶିଳ୍ପପତି ମୁକେଶ ଅମ୍ବାନୀ, ଲକ୍ଷ୍ନୀ ମିତ୍ତଲ, ଗୌତମ ଆଦାନୀ, ଜିନ୍ଦଲ ଗ୍ରୁପ ସମେତ ବଲିଉଡ ଷ୍ଟାର ଆସିବେ । ଅହମଦାବାଦର ଜିଏ ଟର୍ମିନାଲରେ ଭିଭିଆଇପିଙ୍କ ବିଶେଷ ଲାଉଞ୍ଜ ପ୍ରସ୍ତୁତ କରାଯାଇଛି । ଏହାସହିତ ହୋଟେଲ ଓ ଷ୍ଟାଡିୟମ ପହଞ୍ଚାଇବା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି ।
