ଯୋଧପୁର, ୨୪ ଅକ୍ଟୋବର (ହି.ସ.)- ଲଦାଖ ହିଂସା ମାମଲାରେ ଗିରଫ ହୋଇଥିବା ସମାଜସେବୀ ଏବଂ ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ସହିତ ଜଡ଼ିତ ମାମଲା ଏକ ନୂତନ ମୋଡ଼ରେ ପହଂଚିଛି । ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅଧୀନରେ ଗିରଫ ହୋଇଥିବା ୱାଙ୍ଗଚୁକ ବର୍ତମାନ ଯୋଧପୁର କେନ୍ଦ୍ରୀୟ ଜେଲ୍ ରେ ବନ୍ଦୀ ଅଛନ୍ତି, ଯେଉଁଠାରେ ମାମଲାର ତଦନ୍ତ ପାଇଁ ଗଠିତ ଉଚ୍ଚସ୍ତରୀୟ ନ୍ୟାୟିକ କମିଶନ ଏହାର କାର୍ଯ୍ୟ ଆରମ୍ଭ କରିଛି ।
କମିଶନ ଶୁକ୍ରବାର ଜେଲ୍ ପରିସରରେ ଏକ ଶୁଣାଣି କରି ସୋନମ ୱାଙ୍ଗଚୁକଙ୍କ ବୟାନ ରେକର୍ଡ କରିଛନ୍ତି । ରିପୋର୍ଟ ହୋଇଛି ଯେ, କମିଶନ ଖୁବ୍ ଶୀଘ୍ର ତାଙ୍କ ପତ୍ନୀଙ୍କ ବୟାନ ରେକର୍ଡ କରିବେ, ଯିଏକି ସମ୍ପ୍ରତି ୱାଙ୍ଗଚୁକ ମାମଲା ସମ୍ପର୍କରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି । ଜାମ୍ମୁ ଓ କାଶ୍ମୀର ହାଇକୋର୍ଟର ପୂର୍ବତନ ବିଚାରପତି ଏବଂ ଲେହ-ଲଦାଖ ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷ ଏମ.କେ. ହଞ୍ଜୁରାଙ୍କ ନେତୃତ୍ୱରେ ଯାଂଚ୍ ଚାଲିଛି । ଲେହ ଜିଲ୍ଲା ବିଚାରପତି ମନୋଜ ପରିହାର ଏବଂ କାରଗିଲ ଜିଲ୍ଲା ବିଚାରପତି ଏସ୍.ପି. ଜୟେଶ ଅଙ୍ଗମ ମଧ୍ୟ ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ୍ ଅଛନ୍ତି । ତିନି ବିଚାରପତି ଗୁରୁବାର ଯୋଧପୁରରେ ପହଂଚି ଜେଲ୍ ପ୍ରଶାସନ ସହିତ ସୁରକ୍ଷା ଏବଂ ପ୍ରକ୍ରିୟାଗତ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
