ମସ୍କୋ, 22 ଅଗଷ୍ଟ (ହି.ସ.)- ଭାରତର ବୈଦେଶିକମନ୍ତ୍ରୀ
ଡ. ଏସ୍ ଜୟଶଙ୍କର ଗୁରୁବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଗୁରୁତ୍ୱପୂର୍ଣ୍ଣ
ଆଲୋଚନା କରିଛନ୍ତି। ଡ ଜୟଶଙ୍କର ଦୁଇ ଦେଶର ସମ୍ପର୍କକୁ ଅଧିକ ମଜବୁତ କରିବା ସହିତ ରାଷ୍ଟ୍ରପତି
ପୁଟିନଙ୍କର ଏହି ବର୍ଷ ଶେଷରେ ପ୍ରସ୍ତାବିତ ଭାରତ ଯାତ୍ରା ସମ୍ପର୍କରେ ବିଭିନ୍ନ ପ୍ରମୁଖ ଦିଗ
ଉପରେ ଆଲୋଚନା କରିଛନ୍ତି। ରୁଷର ତିନି ଦିନିଆ ଯାତ୍ରାରେ ମଙ୍ଗଳବାର ଦିନ ଡ ଜୟଶଙ୍କର ରୁଷ
ଆସିଥିଲେ ଏବଂ ସେହି ସନ୍ଦର୍ଭରେ ଏହି ଭେଟଘାଟ ହୋଇଛି । ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟ୍ୟାରିଫ୍ ଲାଗୁ
କରିବାର ଘୋଷଣା କରିଥିବା ବେଳେ ଜୟଶଙ୍କର ପୁଟିନଙ୍କ ଏଭଳି ସମୟରେ ଭେଟଘାଟ ହୋଇଛି।
ଭାରତର ବୈଦେଶିକମନ୍ତ୍ରୀ ଏସ୍
ଜୟଶଙ୍କର କ୍ରେମଲିନରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଛନ୍ତି । ଏହା ପূର୍ବରୁ ସେ ରୁଷର ବୈଦେଶିକମନ୍ତ୍ରୀ
ସର୍ଗେଇ ଲାଭରୋଭ୍ ଏବଂ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭଙ୍କୁ ମଧ୍ୟ ଭେଟିଥିଲେ ।
ଏହି ସମସ୍ତ ସାକ୍ଷାତର ଫଟୋ ଡ ଜୟଶଙ୍କର ତାଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର୍
କରିଛନ୍ତି।
ରୁଷ ଏଜେନ୍ସି
ତାସ ଅନୁସାରେ, ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ ପରେ ଡ଼ଃ ଏସ୍ ଜୟଶଙ୍କର ରୁଷର ବିଦେଶମନ୍ତ୍ରୀ ସର୍ଗେଇ
ଲାଭରୋଭ୍ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ
ସବୁଠାରୁ ଶକ୍ତିଶାଳୀ ଏବଂ ସ୍ଥିର ଥିବା ସମ୍ପର୍କଗୁଡ଼ିକ ମଧ୍ୟରୁ ଗୋଟିଏ । ରୁଷ ସହିତ ରକ୍ଷା ଏବଂ ସେନା ବିଭାଗର ସହଯୋଗ ମଧ୍ୟ ଖୁବ ମଜବୁତ ଅଛି। ସେ
ଏହା ମଧ୍ୟ କହିଛନ୍ତି ଯେ ମିଳିତ ଉତ୍ପାଦନ ଏବଂ ପ୍ରଯୁକ୍ତି ହସ୍ତାନ୍ତର ସହିତ ଭାରତର ‘ମେକ ଇନ୍ ଇଣ୍ଡିଆ’ ଲକ୍ଷ୍ୟ ପ୍ରତି ରୁଷ ସମର୍ଥନ ଦେଉଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
