ନୂଆଦିଲ୍ଲୀ/ଭୁବନେଶ୍ୱର, 30 ନଭେମ୍ବର (ହି.ସ.) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ ଠାରେ ୧୦,୦୦୦ତମ ଜନ ଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟକ୍ରମକୁ ଶ୍ରୀ ମୋଦୀ ଶୁଭାରମ୍ଭ କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ।
କାର୍ଯ୍ୟକ୍ରମ ଅବସରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ୍ଣ ଚାନ୍ଦ ବେନିଆଙ୍କୁ ପ୍ରଧାନମନ୍ତ୍ରୀ ‘ଜୟ ଜଗନାଥ’ କହି ଅଭିବାଦନ ଜଣାଇଥିଲେ । ଶ୍ରୀ ବେନିଆ ଏକାଧିକ ସରକାରୀ ଯୋଜନାର ହିତାଧିକାରୀ । ଉଜ୍ଜ୍ୱଳା ଭଳି ଯୋଜନାରେ କିପରି ତାଙ୍କ ଜୀବନ ବଦଳିଲା ସେ ବିଷୟରେ ହିତାଧିକାରୀ ବର୍ଣ୍ଣନା କରିଥିଲେ । ଚାଷୀ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ତମାନ ସେ ତାଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖିବା ପାଇଁ ଆତ୍ମବିଶ୍ୱାସ ଅନୁଭବ କରୁଛନ୍ତି । ତାଙ୍କ ସୁବିଧା ପାଇଁ ଆଗକୁ କେଉଁ ସବୁ ଯୋଜନା ଉପଲବ୍ଧ ଅଛି ସେ ବିଷୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସହିତ ଥିବା ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
