ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଦ୍ୱାରା ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯିବା ନିଷ୍ପତ୍ତିକୁ ଭାରତର ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଏହି ପଦକ୍ଷେପ ଦ୍ୱାରା ଜାତୀୟ ଶିକ୍ଷା ନୀତି 2020ର ଢାଂଚା ଅନ୍ତର୍ଗତ ଅନୁସନ୍ଧାନ, ଶିକ୍ଷକ ଶିକ୍ଷା, ପାଠ୍ୟକ୍ରମ ବିକାଶ ଏବଂ ଏକାଡେମିକ୍ ଉଦ୍ଭାବନକୁ ସୁଦୃଢ଼ କରାଯିବ ବୋଲି ଆଶା କରାଯାଉଛି । ଦଶନ୍ଧି ଧରି ଶିକ୍ଷା ବିଶେଷଜ୍ଞ ଏବଂ ଏକାଡେମିକ୍ ସମୁଦାୟ ଏନସିଇଆରଟି ପାଇଁ ଅଧିକ ସଂସ୍ଥାଗତ ସ୍ୱାୟତ୍ତତା ପାଇଁ ଯୁକ୍ତି ବାଢ଼ିଥିଲେ ।
ଏହି ସ୍ୱୀକୃତି ସହିତ ଏହି ପ୍ରତିଷ୍ଠାନ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଏହାର ଏକାଡେମିକ୍ ଏବଂ ଗବେଷଣା କ୍ଷମତାକୁ ବିସ୍ତାର କରିବ ବୋଲି ଆଶା କରାଯାଉଛି । ପାଠ୍ୟକ୍ରମ ଏବଂ ଶିକ୍ଷକ ତାଲିମ ଠାରୁ ଆରମ୍ଭ କରି ଡିଜିଟାଲ ଶିକ୍ଷା ଏବଂ ଶିକ୍ଷା ଗବେଷଣା ପର୍ଯ୍ୟନ୍ତ ଏହି ଅନୁଷ୍ଠାନ ଦେଶର ସବୁଠାରୁ ପ୍ରଭାବଶାଳୀ ଏକାଡେମିକ୍ ସଂସ୍ଥା ମଧ୍ୟରୁ ଅନ୍ୟତମ ।
ମୈସୁର, ଭୋପାଳ, ଅଜମେର, ଭୁବନେଶ୍ୱର, ଶିଲଂ ଏବଂ ନେଲୋରରେ ଥିବା ଏହାର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ସମନ୍ୱିତ ବି.ଏଡ ଏବଂ ଏମ.ଏଡ଼ କାର୍ଯ୍ୟକ୍ରମ ମାଧ୍ୟମରେ ନିରନ୍ତର ଉଚ୍ଚ ତାଲିମପ୍ରାପ୍ତ ଶିକ୍ଷକ ସୃଷ୍ଟି କରିଛନ୍ତି ।
ଏହି ପ୍ରତିଷ୍ଠାନଗୁଡିକ ବିଜ୍ଞାନ, ସାମାଜିକ ବିଜ୍ଞାନ , ବାଣିଜ୍ୟ, କୃଷି, ଭାଷା ଅଧ୍ୟୟନ ଏବଂ ବୈଷୟିକ ଶିକ୍ଷା ଅନ୍ତର୍ଭୁକ୍ତ ଆନ୍ତଃବିଷୟକ ଶିକ୍ଷକ ଶିକ୍ଷା ମଡେଲ ଆରମ୍ଭ କରିଛନ୍ତି । ସମଗ୍ର ଭାରତରୁ ମନୋନୀତ ଛାତ୍ରମାନେ ଏହି ଅନୁଷ୍ଠାନଗୁଡିକରେ ତାଲିମ ଗ୍ରହଣ କରନ୍ତି ଏବଂ ପରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ସ୍କୁଲ, ବିଶ୍ୱବିଦ୍ୟାଳୟ, ଶିକ୍ଷା ପ୍ରଶାସନ ଏବଂ ଗବେଷଣା ପ୍ରତିଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଅନ୍ତି । ଏକାଡେମିକ୍ ଗବେଷଣା ଏବଂ ନବୋନ୍ମେଷ ପାଇଁ ବୃହତ ପ୍ରୋତ୍ସାହନ ଯଦିଓ ଏନସିଇଆରଟିର ଅଧ୍ୟାପକମାନଙ୍କୁ ଦୀର୍ଘ ଦିନ ଧରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ମାନକ ଅନୁଯାୟୀ ନିଯୁକ୍ତି ଦିଆଯାଇଥିଲା, କିନ୍ତୁ ଏହି ସଂସ୍ଥାନରେ ବିଶ୍ୱ ବିଦ୍ୟାଳୟର ମାନ୍ୟତା ନଥିଲା, ଯାହାଦ୍ୱାରା ଡକ୍ଟୋରେଟ୍ ଅନୁସନ୍ଧାନ ଏବଂ ଉନ୍ନତ ଏକାଡେମିକ କାର୍ଯ୍ୟକ୍ରମର ସ୍ୱାଧୀନ ତଦାରଖ କରିବାର କ୍ଷମତା ସୀମିତ ଥିଲା ।
ଶିକ୍ଷା ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି କାରଣରୁ ବର୍ଷ ବର୍ଷ ଧରି ଏକାଡେମିକ୍ ଏବଂ ଗବେଷଣା ସମ୍ଭାବନାର ଯଥେଷ୍ଟ କ୍ଷତି ଘଟିଛି । ଏନସିଇଆରଟି ମଧ୍ୟରେ କାର୍ଯ୍ୟ କରୁଥିବା ଶହ ଶହ ଅଭିଜ୍ଞ ପ୍ରଫେସର ଏବଂ ଅନୁସନ୍ଧାନକାରୀମାନେ ଉନ୍ନତ ଗବେଷଣାମୂଳକ କାର୍ଯ୍ୟକ୍ରମକୁ ମାର୍ଗଦର୍ଶନ କରିବାରେ ସେମାନଙ୍କର ବିଶେଷଜ୍ଞତାର ସମ୍ପୂର୍ଣ୍ଣ ଉପଯୋଗ କରିପାରି ନାହାଁନ୍ତି । ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ପରେ ଏନସିଇଆରଟି ଡକ୍ଟରେଟ ଗବେଷଣା, ଉନ୍ନତ ଶିକ୍ଷକ ଶିକ୍ଷା, ପାଠ୍ୟକ୍ରମ ନବୋନ୍ମେଷ ଏବଂ ବିଶ୍ୱସ୍ତରୀୟ ଏକାଡେମିକ୍ ସହଯୋଗ କ୍ଷେତ୍ରରେ ଏକ ବୃହତ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହା ଭାରତର ଶିକ୍ଷା ଗବେଷଣା ଇକୋସିଷ୍ଟମକୁ ବ୍ୟାପକ ଭାବେ ସୁଦୃଢ଼ କରିବ । ଜାତୀୟ ଶିକ୍ଷା ନୀତି ଏନସିଇଆରଟିର ଭୂମିକାକୁ ସମ୍ପ୍ରସାରିତ କରିଛି । ଜାତୀୟ ଶିକ୍ଷାନୀତି 2020 ଅନ୍ତର୍ଗତ ଭାରତ ଏକ ନିରବଚ୍ଛିନ୍ନ ଶିକ୍ଷା ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି । ଏହି ପରିବର୍ତ୍ତିତ ଢାଂଚାରେ ଏନସିଇଆରଟିର ଦାୟିତ୍ୱ ଆହୁରି ଅଧିକ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
ଡିଜିଟାଲ ଶିକ୍ଷା, ସମାବେଶୀ ଶିକ୍ଷା, ଅନଲାଇନ ଶିକ୍ଷାଦାନ ପ୍ଲାଟଫର୍ମ, ଶିକ୍ଷା ମନୋବିଜ୍ଞାନ, ଶିକ୍ଷକ ପ୍ରଶିକ୍ଷଣ ଏବଂ ଶିକ୍ଷା ପ୍ରଯୁକ୍ତିର ସମନ୍ୱୟ କ୍ଷେତ୍ରରେ ଏହି ଅନୁଷ୍ଠାନ ବହୁ ପରିମାଣରେ ଯୋଗଦାନ ଦେଉଛି । ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ପଦ୍ଧତିରେ ଗବେଷଣା ଆଧାରିତ ପଦ୍ଧତିକୁ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ଶିକ୍ଷା ଏବଂ ଉଚ୍ଚଶିକ୍ଷା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ଏହି ନିଷ୍ପତ୍ତି ସହାୟକ ହେବ ।
ଏନସିଇଆରଟି ସହିତ ଜଡ଼ିତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଦୀର୍ଘ ଦିନ ଧରି ଚିନ୍ତା ପ୍ରକଟ କରିଥିଲେ ଯେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ସତ୍ତ୍ୱେ ସିଧାସଳଖ ଏନ୍ସିଇଆର୍ଟି ଦ୍ୱାରା ନୁହେଁ ବରଂ ଅନୁବନ୍ଧିତ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ଡିଗ୍ରୀ ପ୍ରଦାନ କରାଯାଉଛି । ଏହି ନୂତନ ମାନ୍ୟତା ଏହି ଢାଞ୍ଚାରେ ପରିବର୍ତ୍ତନ ଆଣିବ ଏବଂ ଏନସିଇଆରଟି ସଂସ୍ଥାନରୁ ସ୍ନାତକ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ବୃହତ ସଂସ୍ଥାଗତ ପରିଚୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଶିକ୍ଷା ପେସାଦାରମାନେ ଏହି ପଦକ୍ଷେପକୁ ଏକ ପ୍ରମୁଖ ଶିକ୍ଷାଗତ ସଂସ୍କାର ବୋଲି ବର୍ଣ୍ଣନା କରିଛନ୍ତି ଯାହା ଭାରତର ଶିକ୍ଷକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱ ସ୍ତରରେ ଉନ୍ନତ କରିପାରିବ ।
ଅନେକ ପୂର୍ବତନ ଶିକ୍ଷା ପ୍ରଶାସକ ଏବଂ ବିଦ୍ୱାନ ଏହି ନିଷ୍ପତ୍ତିକୁ ଭାରତୀୟ ଶିକ୍ଷାର ଭବିଷ୍ୟତ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଏହା ନବୋନ୍ମେଷକୁ ପ୍ରୋତ୍ସାହିତ କରିବ, ଗବେଷଣା ସଂସ୍କୃତିକୁ ମଜବୁତ କରିବ ଏବଂ ଆଗାମୀ ଦଶନ୍ଧିରେ ଶିକ୍ଷାର ସାମଗ୍ରିକ ଗୁଣବତ୍ତାରେ ଉନ୍ନତି ଆଣିବ ।
