ନୂଆଦିଲ୍ଲୀ, 1 ଡିସେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀ ସୋମବାର ସଂସଦର ଶୀତକାଳୀନ ଅଧିବେଶନର ଆରମ୍ଭ ପୂର୍ବରୁ ସଂସଦ ପରିସରରେ ଗଣମାଧ୍ୟମକୁ
ସମ୍ବୋଧିତ କରି ବିରୋଧୀ ଓ ଶାସକ—ଉଭୟଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ଅଧିବେଶନ ପରାଜୟର ଆଖଡା କିମ୍ବା
ବିଜୟର ଅହଂକାରର ମଞ୍ଚ ନ ହେଉ।
ସେ କହିଛନ୍ତି ଯେ ଗଣତନ୍ତ୍ର
ଓ ଅର୍ଥତନ୍ତ୍ରର ସୁଦୃଢତାକୁ ଆଜି ସମଗ୍ର ବିଶ୍ବ ବହୁତ ଧ୍ୟାନପୂର୍ବକ ନିରୀକ୍ଷଣ କରୁଛି। ଏପରି
ପରିସ୍ଥିତିରେ ସଂସଦର ପ୍ରତିଟି ମୁହୂର୍ତ୍ତ ଜାତି ଗଠନ ପାଇଁ ବ୍ୟବହୃତ ହେବା ଉଚିତ, ରାଜନୈତିକ ନକାରାତ୍ମକତାରେ ବ୍ୟର୍ଥ ଯିବା ଉଚିତ ନୁହେଁ।
ପ୍ରଧାନମନ୍ତ୍ରୀ ତାଙ୍କ
ସମ୍ବୋଧନରେ କହିଛନ୍ତି ଯେ ସଂସଦ ଦେଶକୁ ନୂତନ ଗତି ଦେବାରେ ଏବଂ ଭବିଷ୍ୟତର ଦିଗ ନିର୍ଣ୍ଣୟ
କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ। ସେ ଆଶା ବ୍ୟକ୍ତ କରିଛନ୍ତି ଯେ ଶୀତକାଳୀନ ଅଧିବେଶନ
ମଧ୍ୟ ଦେଶର ଉନ୍ନତି ଯାତ୍ରାକୁ ନୂତନ ଉର୍ଜା ଦେବ।
ସେ କହିଛନ୍ତି ଯେ ଭାରତ ଗଣତନ୍ତ୍ରକୁ
ଜୀବନ୍ତ ରଖିଛି। ଗଣତନ୍ତ୍ରର ଆଶା ଓ ଉତ୍ସାହକୁ ସମୟ ସମୟରେ ଦେଶ ଏପରି ଭାବରେ ପ୍ରକାଶ କରିଛି ଯେ
ଗଣତନ୍ତ୍ର ପ୍ରତି ବିଶ୍ୱାସ ଆହୁରି ସୁଦୃଢ଼ ହୋଇଛି। ସେ ନିକଟରେ ହୋଇଥିବା ବିହାର ବିଧାନସଭା
ନିର୍ବାଚନର ଉଲ୍ଲେଖ କରି କହିଛନ୍ତି ଯେ ମତଦାନ ପ୍ରତିଶତ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତିର
ପ୍ରମାଣ। ବିଶେଷକରି ମା’–ଭଉଣୀମାନଙ୍କର ବୃଦ୍ଧିଶୀଳ ଭାଗୀଦାରୀକୁ ସେ ଦେଶର ବଦଳୁଥିବା ଚିନ୍ତାଧାରା ଓ ବୃଦ୍ଧିଶୀଳ
ବିଶ୍ୱାସର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି।
ବିରୋଧୀ ଉପରେ ଆକ୍ରମଣ
କରି ସେ କହିଛନ୍ତି ଯେ କିଛି ଦଳ ଅଛନ୍ତି ଯେମାନେ ନିଜ ପରାଜୟକୁ ସହିପାରୁନାହାନ୍ତି। ବିହାରର
ଫଳାଫଳ ପରେ ସମୟ ସହିତ ସବୁ ବଦଳିଯିବ ବୋଲି ଆଶା ଥିଲା କିନ୍ତୁ ସମ୍ପ୍ରତିର ବୟାନବାଜିରୁ ପ୍ରକାଶ
ପାଉଛି ଯେ ପରାଜୟର ଯନ୍ତ୍ରଣା ତାଙ୍କୁ ଏଯାଏଁ ପର୍ଯ୍ୟନ୍ତ ବିଚଳିତ କରୁଛି। ଏବଂ ଏହି ନିରାଶାକୁ
ସେମାନେ ସଂସଦ ମଧ୍ୟ ନେଇଆସୁଛନ୍ତି — ଏହା ଦୁଃଖଦ।
କୌଣସି ଦଳର ନାମ ନନେଇ ସେ
କହିଛନ୍ତି ଯେ ସଂସଦ ଦେଶର ନୀତି ଓ ଭବିଷ୍ୟତ ଉପରେ ଆଧାରିତ ହେବା ଉଚିତ, କୌଣସି ରାଜ୍ୟର ରାଜନୀତିର ମଞ୍ଚ ନୁହେଁ। ଏହି ପ୍ରବୃତ୍ତିକୁ ସେ ଦେଶ
ପାଇଁ ଅସ୍ୱାସ୍ଥ୍ୟକର ପରମ୍ପରା ଭାବେ ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି ଯେ କିଛି
ସମୟ ହେବ ସଂସଦ ନିର୍ବାଚନ ପାଇଁ ‘ୱାର୍ମ-ଅପ୍ ଅଖାଡ଼ା’ କିମ୍ବା ନିର୍ବାଚନୀ ପରାଜୟ ପରେ ରୋଷ ପ୍ରକାଶର ମଞ୍ଚ ହୋଇଯାଉଛି। ଏହି
ପରମ୍ପରା ବନ୍ଦ ହେବା ଉଚିତ। ସେ କହିଛନ୍ତି ଯେ,“ନେଗେଟିଭ୍ ପଲିଟିକ୍ସର କିଛି ଉପଯୋଗିତା ଥାଇପାରେ, କିନ୍ତୁ ରାଷ୍ଟ୍ର ଗଠନ ପାଇଁ ସକାରାତ୍ମକ ଦୃଷ୍ଟିକୋଣ ଅନିବାର୍ଯ୍ୟ।
ଆସନ୍ତୁ,
ନକାରାତ୍ମକତାକୁ ସୀମିତ ରଖି ରାଷ୍ଟ୍ର ନିର୍ମାଣରେ ଧ୍ୟାନ କେନ୍ଦ୍ରିତ
କରିବା।”
ପ୍ରଧାନମନ୍ତ୍ରୀ ଯୁବ
ସାଂସଦମାନଙ୍କୁ ଅଧିକ ସୁଯୋଗ ଦେବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ ସଂସଦରେ
ନୂତନ ପିଢ଼ିର ପ୍ରତିନିଧିମାନେ ନୂଆ ଚିନ୍ତାଧାରା ଓ ସତଜ ସମୀକ୍ଷା ନେଇ ଆସନ୍ତି, ଏବଂ ଦେଶ ତାଙ୍କ ଅନୁଭବ ଓ ଉର୍ଜାରୁ ଲାଭାନ୍ୱିତ ହେବା ଉଚିତ। ସେ କହିଛନ୍ତି
ଯେ ସଂସଦ ନାଟକର ମଞ୍ଚ ନୁହେଁ, କାର୍ଯ୍ୟ ସଂପାଦନର ସ୍ଥାନ—ଏଠାରୁ ବାହାରିବା ପ୍ରତ୍ୟେକ ସିଦ୍ଧାନ୍ତ ଦେଶର କୋଟିକୋଟି ନାଗରିକଙ୍କ ଜୀବନକୁ ପ୍ରଭାବିତ
କରେ।
ଦେଶର ଅର୍ଥନୈତିକ ଅଗ୍ରଗତି
ବିଷୟରେ ସେ କହିଛନ୍ତି ଯେ ଭାରତର ଅର୍ଥନୀତି ଆଜି ନୂତନ ଉଚ୍ଚତା ସ୍ପର୍ଶ କରୁଛି ଏବଂ ଏହି ଗତି ‘ବିକସିତ ଭାରତ’ ର ସ୍ବପ୍ନକୁ ଆହୁରି ସୁଦୃଢ଼ କରୁଛି। ବିଶ୍ବ ଆଜି ଦେଖୁଛି ଯେ ଗଣତାନ୍ତ୍ରିକ
ପ୍ରଣାଳୀ କିପରି ଉନ୍ନତିକୁ ତ୍ୱରାନ୍ବିତ କରିପାରେ।
ଶେଷରେ ସେ ସମସ୍ତ ଦଳକୁ
ଅନୁରୋଧ କରିଛନ୍ତି ଯେ ଶୀତକାଳୀନ ଅଧିବେଶନକୁ ସକାରାତ୍ମକତା, ସହଯୋଗ ଓ ଗଠନମୂଳକ ଆଲୋଚନାର ମଞ୍ଚ କରନ୍ତୁ, ଯାହାଦ୍ୱାରା ସଂସଦର ଉର୍ଜା ଦେଶକୁ ନୂତନ ଉଚ୍ଚତାକୁ ନେଇଯିବ। ସେ କହିଛନ୍ତି
ଯେ,“ସଂସଦ ଦେଶ ପାଇଁ କ’ଣ ଭାବୁଛି ଏବଂ କ’ଣ କରିବାକୁ ଯାଉଛି— ଏହି ଅଧିବେଶନର କେନ୍ଦ୍ରବିଷୟ ହେବା ଉଚିତ। ବିରୋଧୀ ମଧ୍ୟ ନିଜ
ଦାୟିତ୍ୱ ନିର୍ବାହ କରୁ, ଦୃଢ଼ ବିଷୟ ଉଠାଉ ଏବଂ ପରାଜୟର ନିରାଶାରୁ ବାହାରିଆସୁ।”
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
