ବେଙ୍ଗାଲୁରୁ/ଭୁବନେଶ୍ୱର, ୨୭ ନଭେମ୍ବର (ହି.ସ)- ବେଙ୍ଗାଲୁରୁରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ସେଟଲମେଂଟ ( ଆଇ ଆଇ ଏଚ୍ ଏସ୍) ଦ୍ୱାରା ଆୟୋଜିତ ସହରାଞ୍ଚଳ ନୀତି ସମ୍ପର୍କିତ ଆଲୋଚନା ଚକ୍ର ୨୦୨୫ରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଅଂଶଗ୍ରହଣ କରି ସହରମାନଙ୍କରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି , ସମ୍ମାନ ଓ ସୁରକ୍ଷା ରୂପରେଖ ପ୍ରସ୍ତୁତ କରିବା ଜରୁରୀ ବୋଲି ମତ ବ୍ୟକ୍ତ କରିଛନ୍ତି । ଏହା ଦେଶର ନଗର ବିକାଶ ନୀତି ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥିବା ରୂପରେଖ ସମ୍ପର୍କିତ ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି ମଧ୍ୟ ଶ୍ରୀମତୀ ପାଢୀ ଅବହିତ କହିଛନ୍ତି ।
ସହରାଞ୍ଚଳ ଭାରତରେ ଅଟକି ରହିଥିବା ସମ୍ପତିର ସଙ୍କଟ ଶୀର୍ଷକ ଆଲୋଚନାରେ ଯୋଗଦେଇ ଶ୍ରୀମତୀ ପଢ଼ୀ କହିଥିଲେ ଯେ, ସହର ପରିକଳ୍ପନା ସ୍ଥିର, ବାତ୍ୟା ନିରୋଧୀ ଏବଂ ନାଗରିକ କେନ୍ଦ୍ରିକ ହେବା ଆବଶ୍ୟକ। ସହରମାନେ କେବଳ ଭୌତିକ ସଂରଚନା ନୁହେଁ — ଏହା ଏକ ସାମାଜିକ ଇକୋ ସିଷ୍ଟମ୍, ଆକାଂକ୍ଷା ଏବଂ ସୁଯୋଗର ସମାହାର। ଏଣୁ ଏଠାରେ ବସବାସ କରୁଥିବା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ସମ୍ମାନ ଓ ସୁରକ୍ଷା ନିମନ୍ତେ ରୂପରେଖ ପ୍ରସ୍ତୁତ କରିବା ଜରୁୁରି।
ଏହି ଗସ୍ତ ସମୟରେ ସେ, ଗ୍ରେଟର ବେଙ୍ଗାଲୁରୁ ଅଥରିଟିର ମୁଖ୍ୟ ଆୟୁକ୍ତଙ୍କ ସହ ଏକ ଟେକ୍ନିକାଲ ଆଲୋଚନା କରିଛନ୍ତି, ଯାହା ଦ୍ରୁତଗତିରେ ବଢ଼ୁଥିବା ସହରଗୁଡ଼ିକରେ ଶକ୍ତିଶାଳୀ ଶାସନ ଗଠନ ଓ ପ୍ରତିଷ୍ଠାନଗତ ସୁଦୃଢ଼ତା ନିର୍ମାଣ ଉପରେ କେନ୍ଦ୍ରିତ ଥିଲା। ଆଲୋଚନାରେ ସହରମାନଙ୍କୁ ଅର୍ଥନୈତିକ ଶକ୍ତିକେନ୍ଦ୍ର, ନବୀନତା ହବ୍ ଏବଂ ସମାନ ସୁଯୋଗ ଦେଇଥିବା ଅବସ୍ଥାମାନଙ୍କ ଭାବେ ଗଢ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଓଡ଼ିଶାର ପ୍ରତିବଦ୍ଧତାକୁ ବ୍ୟକ୍ତ କରି ସେ କହିଥିଲେ ଯେ, ରାଜ୍ୟ ଟେକ୍ନୋଲୋଜି-ସମର୍ôଥତ, ଗୋଷ୍ଠୀ-ସହଭାଗୀ ଓ ସୁଧାରମୁଖୀ ନଗର ବିକାଶ ଦିଗରେ ଅଗ୍ରସର। ଯାହା ବିକାଶ ଓ ବାସ ଉପଯୋଗୀତାକୁ ସୁନିଶ୍ଚିତ କରେ। ଓଡ଼ିଶା ଲୋକମାନଙ୍କୁ ସଶକ୍ତ କରୁଥିବା, ସମ୍ଭାବନା ଏବଂ ସଯୋଗରେ ଭରପୂର ଭବିଷ୍ୟତମୁଖୀ ସହର ଗଢ଼ିବା ପାଇଁ ସଂକଳ୍ପବଦ୍ଧ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
