ନୂଆଦିଲ୍ଲୀ, 25 ଅଗଷ୍ଟ (ହି.ସ.)- ଭାରତ ଫିଜିର
ରାଜଧାନୀ ସୁୱାରେ 100 ଶଯ୍ୟା ବିଶିଷ୍ଟ ଏକ ସୁପର୍ ସ୍ପେସିଆଲିଟି ହସ୍ପିଟାଲ୍ ନିର୍ମାଣ କରିବ। ଏହା ସହିତ
ଡାଏଲିସିସ୍ ୟୁନିଟ୍, ସମୁଦ୍ର ଆମ୍ବୁଲାନ୍ସ୍ ଓ ଜନ ଔଷଧ କେନ୍ଦ୍ର ମଧ୍ୟ ସ୍ଥାପିତ କରାଯିବ ଯାହା ମାଧ୍ୟମରେ ଶସ୍ତା
ଏବଂ ଗୁଣବତ୍ତାପୂର୍ଣ୍ଣ ଔଷଧ ପ୍ରତ୍ୟେକ ଘରେ ପହଞ୍ଚିପାରିବ।
ସୋମବାର ଦିନ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଫିଜିର ପ୍ରଧାନମନ୍ତ୍ରୀ ସିଟିଭେନି ରାବୁକାଙ୍କ
ସହିତ ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ଓ ଫିଜିର ପ୍ରଧାନମନ୍ତ୍ରୀ ରାବୁକାଙ୍କ ମଧ୍ୟରେ
ଦ୍ୱିପକ୍ଷୀୟ ସମ୍ପର୍କକୁ ଆଉ ଅଧିକ ଦୃଢ଼ କରିବା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା, ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ସଂପର୍କୀୟ କିଛି ଅନୁବନ୍ଧ
ଅଦାନ-ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାବୁକା ରବିବାର ଦିନ ତିନି ଦିନିଆ ଔପଚାରିକ
ଗସ୍ତରେ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତ ଓ ଫିଜି ମଧ୍ୟରେ ଏକ ଗଭୀର ଆତ୍ମୀୟତା ଓ ସାଂସ୍କୃତିକ ସମ୍ପର୍କର
ଦୀର୍ଘ ଇତିହାସ ରହିଛି।
ସେ ସ୍ମରଣ କରାଇଥିଲେ ଯେ
2014 ମସିହାରେ 33 ବର୍ଷ ପରେ ପ୍ରଥମେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଫିଜି ଭୂମିରେ ପଦାର୍ପଣ
କରିଥିଲେ ଏବଂ ସେ ଏହାକୁ ଗର୍ବର ବିଷୟ ବୋଲି କହିଥିଲେ । ସେ କହିଛନ୍ତି ଯେ ସେହି ସମୟରେ ଭାରତ-ପ୍ରଶାନ୍ତ ଦ୍ୱୀପ
ସମୂହ ସହଯୋଗ ମଞ୍ଚର ଆରମ୍ଭ ହୋଇଥିଲା, ଯାହା ଭାରତ ଓ ଫିଜି ସହିତ ସହିତ ସମଗ୍ର ପ୍ୟାସିଫିକ୍ ଅଞ୍ଚଳ ସହିତ ଭାରତର ଯୋଗାଯୋଗକୁ
ଏକ ନୂଆ ଶକ୍ତି ଦେଇଥିଲା।
ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ ପ୍ରଧାନମନ୍ତ୍ରୀ ରାବୁକାଙ୍କ ଏହି ଯାତ୍ରା ଦ୍ୱିପକ୍ଷୀୟ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି
କରିଛି। ସେ ଫିଜିରେ ବସବାସ କରୁଥିବା ଭାରତୀୟ ମୂଳର ଗିରମିଟିଆ ସମାଜଙ୍କ ଅବଦାନକୁ ଉଲ୍ଲେଖ କରି
କହିଛନ୍ତି ଯେ, 19ତମ
ଶତାବ୍ଦୀରେ ଭାରତରୁ ଯାଇଥିବା 60 ହଜାରରୁ ଅଧିକ ଭାଇ ଭଉଣୀମାନେ ଫିଜିର ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ
ଭୂମିକା ନିଭାଇଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
