ଗଞ୍ଜାମ, ୨୧ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତିକୁ ନେଇ ତେଜିଛି ରାଜନୀତି । ଯାହାକୁ ନେଇ ରାତି ଅଧରେ ଗୋପାଳପୁର ଥାନା ଘେରାଉ କରିଛନ୍ତି ଭଞ୍ଜବିହାର ଛାତ୍ର । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଅନେକ ଛାତ୍ର ଗତକାଲି ରାତିରେ ଗୋପାଳପୁର ଥାନା ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଆନ୍ଦୋଳନକାରୀ । ଯାହାକୁ ନେଇ କିଛି ସମୟ ଧରି ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ଏବଂ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶୃତି ଦେବା ପରେ ଗତକାଲି ବିଳମ୍ବିତ ରାତିରେ ଧାରଣାରୁ ହଟିଛନ୍ତି ଆନ୍ଦୋଳନରତ ଛାତ୍ର ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗତକାଲି ନୂଆଖାଇ ଉପଲକ୍ଷେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ସେଠାରେ ଛାତ୍ର – ଅଣଛାତ୍ର ମୁହାଁମୁହିଁ ହୋଇଥିଲେ । କିଛି ଅଣଛାତ୍ର କ୍ୟାମ୍ପସ୍ ରେ ପଶିଥିବା ନେଇ ଏକ ଛାତ୍ର ଗୋଷ୍ଠି ଅଭିଯୋଗ କରିଥିଲେ । ପରେ ଦୁଇ ଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପିଟାପିଟି ହୋଇଥିଲା । ଏଥିରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
