
ସମ୍ବଲପୁର, ୧୯ ଅଗଷ୍ଟ (ହି.ସ.)- ସମ୍ବଲପୁର ସହର ସନ୍ନିକଟ ଖଣ୍ଡୁଆଳ ଅଂଚଳରେ ଏନକାଉଂଟର । ଆଜି ସକାଳେ ପୋଲିସ ଏକ ହତ୍ୟା ଘଟଣାର ଅଭିଯୁକ୍ତକୁ ସହର ସନ୍ନିକଟ ଖଣ୍ଡୁଆଳରେ ଦେଖି ଧରିବାକୁ ଯାଇଥିଲା । ମାତ୍ର ଘଟଣାସ୍ଥଳରେ ଅଭିଯୁକ୍ତ ମହମ୍ମଦ ସମାଦ୍ ପୋଲିସ ଗିରଫଦାରୀକୁ ଏଡାଇବାକୁ ଯାଇ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସର ପାଲଟା ଜବାବରେ ସମାଦ୍ ର ବାମ ଗୋଡ଼ରେ ଗୁଳି ବାଜି ଥିଲା । ସେ ଗୁରୁତର ହୋଇପଡିଥିଲା । ପୋଲିସ ତା’ ନିକଟରୁ ଏକ ୭.୬ ଏମଏମ ପିସ୍ତଲ, ଗୋଟିଏ କଳା ରଙ୍ଗର ଟିଭିଏସ ଆପାଚି ବାଇକ୍ କୁ ଜବତ କରିଛି । ଗୁରୁତର ସମାଦ୍ କୁ ତୁରନ୍ତ ଚିକିତ୍ସା ନିମନ୍ତେ ଭୀମସାରରେ ଭର୍ତି କରିଛି ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମୋତିଝରଣ ଅଂଚଳର ମହମ୍ମଦ ସମାଦ୍ ଓ ତା’ର ଭାଇ ମହମ୍ମଦ ୱାସିମ୍ ବ୍ରୁଟଲି ଅଂଚଳର ଆସଫ ଖାନକୁ ଛୁରୀ ଭୁସି ହତ୍ୟା କରି ଫେରାର୍ ହୋଇଯାଇଥିଲେ । ଏହି ହତ୍ୟା ସମ୍ପର୍କରେ ଧନୁପାଲି ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ ହେବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ନିୟୋଜିତ ହୋଇଥିଲା । ଏହି ସ୍କ୍ୱାଡ୍ ଆଜି ସକାଳେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
