ମାଲକାନଗିରି, ୯ ମାର୍ଚ୍ଚ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ ସୋମନାଥପୁର ପଞ୍ଚାୟତ କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ନେତୃତ୍ଵରେ ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ଦର୍ଲାବେଢା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଦିଲ୍ଲିପ କୁମାର ଓଝା ମୁଖ୍ୟ ଅତିଥି ଏବଂ ଚିତ୍ରକୋଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅଞ୍ଜନ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ବଚ୍ଛତା ଅଭିଯାନରେ କାର୍ଯ୍ୟରତ ୨୦ ଜଣ ମହିଳା ଗାଡ଼ି ଚାଳକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ପରେ ଉପଢ଼ୌକନ ସହ ସମ୍ମାନିତ କରାଯାଇଥିଲା। ବାଲିମେଳା ଭଳି ସହର ତଥା ପରିବେଶ ସଫାସୁତୁରା ରଖିବାରେ ଉକ୍ତ ଗାଡ଼ି ଚାଳକଙ୍କ ଅବଦାନ ଅତୁଳନୀୟ। ସଭାରେ ଉପସ୍ଥିତ ଅତିଥିମାନେ ଆଧୁନିକ ସମାଜରେ ନାରୀଙ୍କ ଭୂମିକା ଓ ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଦିପକ କୁମାର ହାଓ୍ବଲଦାର ସଭାପତିତ୍ବ ଏବଂ କଣ୍ଡେଲ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ବସନ୍ତ କୁମାର ରଣାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବେ ପରିଚାଳିତ ହୋଇଥିଲା। ମହାଶିବରାତ୍ରୀ ଭଳି ପବିତ୍ର ତିଥିରେ ସମ୍ମାନିତ ମହିଳା ଗାଡ଼ି ଚାଳକଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା।
