ଭଦ୍ରକ, ୪ମାର୍ଚ୍ଚ :- ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷା ସଚେତନତା ରଥ ପରିକ୍ରମା ସୋମବାର ଆରମ୍ଭ କରାଯାଇଛି । ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁମତୀ ସେଠୀ ମୁଖ୍ୟଅତିଥି, ବିଡିଓ ଦେବଦତ୍ତ ଦାସ, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା, ଶିକ୍ଷକ କୈଳାସ ଚନ୍ଦ୍ର ସାମଲ, ଶିକ୍ଷୟତ୍ରୀ ବର୍ଷାରାଣୀ ମଲ୍ଲିକ, ନିର୍ବାହୀ ଅଧିକାରୀ ବିକ୍ରମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟକ୍ତି ଜୀବନରେ ଶିକ୍ଷାର ମହତ୍ତ୍ୱ ଓ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଜସଜ୍ଜା, ଝୋଟି, ରଙ୍ଗୋଲି, ନୃତ୍ୟ ଆଦି ସଚେତନତାଧର୍ମୀ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା ଶ୍ରୀମତୀ ସେଠୀ ପାତାକା ଦେଖାଇ ରଥ ପରିକ୍ରମା ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀମାନେ ପରିଚାଳନା କରିଥିଲେ । ଏହି ରଥକୁ ବିଷ୍ଣୁପୁର ଉପ୍ରା ବିଦ୍ୟାଳୟରେ ସ୍ୱାଗତ କରାଯାଇଛି । ପ୍ରଧାନଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ନାଥଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ କୁମାର ନାୟକ ମୁଖ୍ୟଅତିଥି, ବିଇଓ ଶ୍ରୀ ତରାଇ, ସମିତି ସଭ୍ୟ ଦୀପକ କୁମାର ପାଣିଗ୍ରାହୀ, ଏସ.ଏମ.ସି. ସଭାପତି ସନାତନ ଜେନା, ଶିକ୍ଷା ସଂଯୋଜକ ଅଜୟ କୁମାର ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ରଥ ପରିକ୍ରମାର ସଫଳତା କାମନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିନ୍ନ୍ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ଶଶିକାନ୍ତ ପତି, ଜୟଦେବ ସେନାପତି, ଶିକ୍ଷୟତ୍ରୀ ପଦ୍ମାବତୀ କର, ପ୍ରୀତିପଦ୍ମା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
