ନୂଆଦିଲ୍ଲୀ, ୦୪ ମାର୍ଚ୍ଚ :- କେନ୍ଦ୍ର ଇସ୍ପାତ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ ଆଜି ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଭାରତର ଇସ୍ପାତ ଶିଳ୍ପରେ ପରିବର୍ତନ କରୁଛି ଏବଂ ଭାରତ ଏହି କ୍ଷେତ୍ରରେ ନେତା ଭାବରେ ଉଭା ହେଉଛି ।
ଜ୍ୟୋତିରାଦିତ୍ୟ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ରେ ଅବସ୍ଥିତ ଷ୍ଟେସନଲେସ ଷ୍ଟିଲ ସେକ୍ଟରରେ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ ପ୍ଲାଂଟର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଇସ୍ପାତ ମନ୍ତ୍ରଣାଳୟର ସଚିବ ନାଗେନ୍ଦ୍ର ନାଥ ସିହ୍ନା, ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ଏବଂ ହାଇଜେନ କୋ ର ପ୍ରତିଷ୍ଠାତା ଅମିତ ବଂଶାଲ ଏବଂ ଇସ୍ପାତ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଜ୍ୟୋତିରାଦିତ୍ୟ କହିଛନ୍ତି ଯେ, ଏକ ସରକାର ଭାବରେ ଆମେ କମ୍ପାନୀ, ନାଗରିକ ଏବଂ ରାଜ୍ୟ ସରକାରଙ୍କୁ ୨୦୭୦ ସୁଦ୍ଧା ନିଟ୍ ଶୂନ କାର୍ବନ ଉତ୍ସର୍ଜନ ଲକ୍ଷ୍ୟ ହାସଲ କରିବାକୁ ସବୁଜ ଅଭିବୃଦ୍ଧି ଏବଂ ସବୁଜ ଚାକିରୀ ଉପରେ ଧ୍ୟାନ ଦେବାକୁ ଉତ୍ସାହିତ କରୁଛୁ ।
