

ଜୟପୁର, ୧୮ ଜାନୁଆରୀ (ହି.ସ.)- କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ପକ୍ଷରୁ ୫୦ କିଲୋ ଗଞ୍ଜେଇ ଓ ଦୁଇଟି ସ୍କୁଟି ଜବତ କରାଯାଇଛି। ଏଥିସହ ତିନି ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ମାଲକାନଗିରି ପଟୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ନେଇ ବୈପାରିଗୁଡା ପୁଲିସକୁ କୈାଣସି ସୂତ୍ରରୁ ଖବର ମିଳିଥିଲା। ପରେ ବୈପାରିଗୁଡା ପୁଲିସ ଥାନା ଠାରୁ ଦୁଇ କିଲୋମିଟର ଦୂର ବାତ୍ରିପୁଟ ଛକରେ ପେଟ୍ରୋଲିଂ ଆରମ୍ଭ କରିଥିଲେ। ମାଲକାନଗିରି ପଟୁ ଆସୁଥିବା ସମସ୍ତ ଗାଡ଼ି ଯାଞ୍ଚ କରିବା ଆରମ୍ଭ କରିଥିଲେ। ଏସଆଇ ବିଷ୍ଣୁ ପ୍ରସାଦ ଶବରଙ୍କ ନେତୃତ୍ଵରେ ଏଏସଆଇ ଶିବ ଶଙ୍କର ନାୟକ, ମୋତି ସିଂ ନାୟକ ଏବଂ କର୍ମଚାରୀ ଏକ ଟିମ ଗଠନ କରି ଗଞ୍ଜେଇ ଜବତ କରିବା ପାଇଁ ବାତ୍ରିପୁଟ ଛକରେ ଅପେକ୍ଷା କରିଥିଲେ। ଦିନ ୧୨ଟାରେ ତିନି ଜଣ ଯୁବକ ଦୁଇଟି ସ୍କୁଟି ନମ୍ବର(ଓଡି ୨୪ ଜେ ୮୪୪୧) ଏବଂ (ଓଡି ୨୪ ଏଚ୍ ୯୪୬୬) ରେ ଆସୁଥିବା ଦେଖିବା ପରେ ପୁଲିସ ସନ୍ଦେହରେ ଅଟକାଇଥିଲେ। ସ୍କୁଟି ଯାଞ୍ଚ କରିବାରୁ ଡିକି ଭିତରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ ଚାଲାଣ କରୁଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ରାଜ କୁମାର ପତ୍ରବାଗ, କୁମ୍ଭକର୍ଣ୍ଣ ସଉରା ଏବଂ ଭଗବାନ ସାହୁଙ୍କୁ ଗିରଫ କରିବା ସହ ଦୁଇଟି ସ୍କୁଟି ଜବତ କରାଯାଇଥିଲା। ଜବତ ଗଞ୍ଜେଇ ୫୦ କିଲୋ ବୋଲି ଜଣାପଡିଛି। ଏହି ଗଞ୍ଜେଇ ନବରଙ୍ଗପୁର ଚାଲାଣ ହେଉଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ଏକ ମାମଲା ରୁଜୁ କରାଯାଇ ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ପବନ/ପ୍ରଦୀପ୍ତ/ସମନ୍ୱୟ
